Advertisement

‘ସାହସିକତା, ବୀରତ୍ୱ, ତ୍ୟାଗର ଜ୍ୱଳନ୍ତ ଉଦାହରଣ ନୟାଗଡ଼’

ନୟାଗଡ଼ ଅଫିସ,୨୬ା୧: ନୟାଗଡ଼ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ୪୭ଟି ପରେଡ୍‌ ଟିମ୍‌ ଭାଗ ନେଇଥିଲେ। ନୟାଗଡ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଜିଲାପାଳ ନିଜ ଭାଷଣରେ କହିଥିଲେ ସ୍ବାଧୀନତା ସଂଗ୍ରାମରେ କଳା ଓ ସଂସ୍କୃତିର ମାଟି ନୟାଗଡ଼ର ଅବଦାନ ଅବିସ୍ମରଣୀୟ। ଏଠାର ସ୍ବାଧୀନତା ସଂଗ୍ରାମୀଙ୍କ ଆତ୍ମ ବଳୀଦାନ ନୟାଗଡ଼ ମାଟିର ସାହସିକତା, ବୀରତ୍ୱ ଓ ଅପୂର୍ବ ତ୍ୟାଗର ଜ୍ୱଳନ୍ତ ନିଦର୍ଶନ। ପୁଣି କହିଥିଲେ ଏ ମାଟିରେ ଜନ୍ମ ନେଇଛନ୍ତି ମନିଷୀ ସାମନ୍ତ ଚନ୍ଦ୍ରଶେଖର। ଯାହାଙ୍କ ରଚିତ ସିଦ୍ଧାନ୍ତ ଦର୍ପଣ ଆଜି ବିଶ୍ୱବାସୀଙ୍କ ନିକଟରେ ଏକ ଅମୂଲ୍ୟ ଗ୍ରନ୍ଥ ଭାବରେ ପୂଜିତ ହେଉଛି। ଏ ମାଟି ହେଉଛି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାଧନା ପୀଠ। ଏହି ମାଟିରେ ଜନ୍ମ ନେଇଛନ୍ତି ଉତ୍କଳ ଘଣ୍ଟ କବି ଯଦୁମଣି ଯିଏକି ହାସ୍ୟରସାତ୍ମକ କାବ୍ୟ କବିତା ରଚନା ଦ୍ୱାରା ଓଡ଼ିଶାବାସୀଙ୍କର ଆଦରଣୀୟ ହୋଇପାରିଛନ୍ତି। ଜିଲାର ପ୍ରସିଦ୍ଧ କଣ୍ଟିଲୋର ନୀଳମାଧବ, ଶରଣକୁଳର ଲଡୁବାବା, ଓଡ଼ଗାଁର ରଘୁନାଥଜୀଉ. ଦଶପଲ୍ଲାର ମହାବୀର କ୍ଷେତ୍ର ଆଦି ଦେବଦେବୀ ପୀଠ ନୟାଗଡ଼ ଜିଲାକୁ ସମୃଦ୍ଧି କରିଛି। ଏସ୍‌ପି ଅଲେଖ ଚନ୍ଦ୍ର ପହୀ ମଞ୍ଚରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲାପାଳ ଶକ୍ତିକାନ୍ତ ରାୟ ଓ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷେ ମଞ୍ଚରେ ପଦ୍ମଶ୍ରୀ ସାବରମତୀ ଓ ଅଲମ୍ପିଆଡ ଝିଲି ଦଳବେହେରାଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share