ଚର୍ଚ୍ଚାରେ ନାୟକ ସାର୍‌

ନାଉଗଁା,୧।୩(ସ୍ବ.ପ୍ର.): ଚାକିରି ଛାଡ଼ିି ଯୁବକମାନଙ୍କୁ ସୈନ୍ୟବାହିନୀରେ ଯୋଗଦେବା ପାଇଁ ପ୍ରଶିକ୍ଷଣ ଦେଉଥିବା ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକ ରୋହିଆ ପଞ୍ଚାୟତ ଅରଖକୁଦ ଗ୍ରାମର ସିଲୁ ନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ରବିବାର ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ସିଲୁଙ୍କୁ ‘ନାୟକ ସାର’ ବୋଲି ମୋଦି ସମ୍ବୋଧିତ କରିଛନ୍ତି। ପ୍ରଶଂସା ପାଇବା ପରେ ସିଲୁ ଖୁସିବ୍ୟକ୍ତ କରି ଆତ୍ମବିଶ୍ୱାସ ବୃଦ୍ଧିପାଇଛି ବୋଲି କହିଛନ୍ତି। ଏହି ତାଲିମ କେନ୍ଦ୍ରକୁ ଆଗକୁ ବଢ଼ାଇବା ପାଇଁ ଅଧିକ ପ୍ରୟାସ କରିବେ ବୋଲି ସେ କହିିଛନ୍ତି।
୨୦୧୬ରେ ଦେବୀ ନଦୀ ପଠାରେ ସିଲୁ ‘ମହାଗୁରୁ ବାଟାଲିୟନ’ ନାମରେ ଏକ ସେନା ପ୍ରଶିକ୍ଷଣ ତାଲିମ ଶିବିର ଆରମ୍ଭ କରିଥିଲେ। ପ୍ରଥମେ ସେ ସ୍ଥାନୀୟ ୮ରୁ ୧୦ ଜଣ ପିଲାଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେଇଥିଲେ। ଏବେ ଏହି ବାଟାଲିୟନ ମାଧ୍ୟମରେ ୭୦ରୁ ଊର୍ଦ୍ଧ୍ୱ ଯୁବକ ସାମିଲ ହୋଇ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ନେଉଛନ୍ତି। ଏଠାରୁ ତାଲିମ ପାଇଥିବା ୪୦ରୁ ଊର୍ଦ୍ଧ୍ୱ ଯୁବକ ଆର୍ମି, ଓଡ଼ିଶା ପୋଲିସ, ସିଆରପିଏଫ୍‌, ବିଏସ୍‌ଏଫ୍‌, ଓଏଫ୍‌ଏସ୍‌ ଏବଂ ଆଇଆରବିରେ ଯୋଗଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସିଲୁ ବିନା ପାରିଶ୍ରମିକରେ ଗଁା ଗହଳିର ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏପରି କି ନିଜ ହାତରୁ ବିଭିନ୍ନ ପ୍ରକାର ତାଲିମ ସରଞ୍ଜାମ ମଧ୍ୟ କ୍ରୟ କରିଛନ୍ତି।
ବାଲୁଙ୍କି ନାୟକ ଓ ତାଙ୍କ ସ୍ତ୍ରୀ ହେନାଙ୍କ ସାନ ପୁଅ ସିଲୁ ୨୦୧୪ରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରୁ ଯୁକ୍ତ୩ ଶିକ୍ଷା ଶେଷପରେ ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀରେ ଚାକିରି ପାଇଥିଲେ। ଇଣ୍ଟରଭ୍ୟୁ ଦେବା ସମୟରେ ଅନେକ ପିଲା ଶାରୀରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିବା ସେ ଦେଖିଥିଲେ। ଏହା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ଅର୍ଥ ଓ ଚାକିରି ମୋହ ଛାଡ଼ିି ସେ ନିଜ ଗଁାକୁ ଫେରି ଆସିଥିଲେ। ନିଜ ଅଞ୍ଚଳର ପିଲାଙ୍କୁ ଶାରୀରିକ ତାଲିମ ପ୍ରଦାନ କରି ସୈନ୍ୟବାହିନୀରେ ଯୋଗଦେବା ଉଦ୍ଦେଶ୍ୟରେ ମହାଗୁରୁ ବାଟାଲିୟନ ତାଲିମ ଶିବିର ଖୋଲିଥିଲେ। ସକାଳ ଓ ଅପରାହ୍ନରେ ୨ ବେଳା ଶିବିରରେ ପିଲାମାନେ ତାଲିମ ନେଇଥାନ୍ତି। ଟ୍ରେନିଂ ପାଇ ବହୁ ଯୁବକ ପୋଲିସ, ସୈନ୍ୟବାହିନୀ ଓ ସେଣ୍ଟ୍ରାଲ ସିକ୍ୟୁରିଟି ଫୋର୍ସରେ ଚାକିରି ପାଇଥିବା ବେଳେ ଅନେକ ଏବେ ବି ଚେଷ୍ଟା ଜାରି ରଖିଛନ୍ତି ବୋଲି ସିଲୁ କହିଛନ୍ତି। ତେବେ ବିନା ପାରିଶ୍ରମିକରେ କିଭଳି ତାଲିମ ଶିବିର ଚଳାଇପାରୁଛନ୍ତି ବୋଲି ପଚରାଯିବାରୁ ସିଲୁ କହିଛନ୍ତି ଯେ, ଶିବିର ଆରମ୍ଭ ହେବା ସମୟରେ କେତେଜଣ ପ୍ରଶିକ୍ଷାର୍ଥୀ ଆର୍ଥିକ ସହାୟତା କରିଥିଲେ। ଏବେ ନିଯୁକ୍ତି ପାଇଥିବା କେତେଜଣ ପ୍ରଶିକ୍ଷାର୍ଥୀ ଆର୍ଥିକ ସହାୟତା ଯୋଗାଉଛନ୍ତି, ଯେଉଁଥିରେ ଗରିବ ପିଲାମାନଙ୍କୁ ମାଗଣାରେ ତାଲିମ ଦିଆଯାଇପାରୁଛି ବୋଲି ସିଲୁ କହିଛନ୍ତି।
ତାଲିମ ନେଇ ଚାକିରି ପାଇଥିବା ଭାରତୀୟ ଆର୍ମିର ସୁଶୀଳ ମହାନ୍ତି ଓ ସିଆରପିଏଫ୍‌ର ଦେବଦତ୍ତ ଆଚାର୍ଯ୍ୟ କୁହନ୍ତି, ନାୟକ ସାର ଅନ୍ୟମାନଙ୍କ ପାଇଁ ଉଦାହରଣ। ତାଙ୍କ ଉଦ୍ୟମ ବଳରେ ବହୁ ଅସହାୟ ରୋଜଗାରକ୍ଷମ ହୋଇପାରିଛନ୍ତି।

Share