ଗୋଟିଏ ଦିନରେ ନବଯୈାବନ ଦର୍ଶନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା

ପୁରୀ,୯ା୬(ଅଜିତ୍‌ ମହାନ୍ତି)ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଜୁଲାଇ ୭ତାରିଖରେ ଅନୁଷ୍ଠିତ ହେବ। ଆସନ୍ତା ୨୨ତାରିଖରେ ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେବ। ତେବେ ଚଳିତବର୍ଷ ମହାପ୍ରଭୁଙ୍କ ଅଣସର ୧୫ଦିନ ପରିବର୍ତ୍ତେ ୧୩ଦିନ ପଡୁଛି। ଫଳରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ ପଡୁଛି। ଗୋଟିଏ ଦିନରେ ନୀତି କେଉଁଭଳି ଭାବରେ ଅନୁଷ୍ଠିତ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ସହ ଆଲୋଚନା କରାଯାଉଛି। ରଥଯାତ୍ରା ନୀତି ଶୃଙ୍ଖଳିତ ଭାବରେ ହେବା ସହ ରଥଯାତ୍ରା ଯେପରି ସୁରୁଖୁରୁରେ ହେବ ସେନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ଦଇତାପତି ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଦଇତାପତି ନିଯୋଗ ସହ ଆଲୋଚନା କରାଯିବା ପରେ ପୂଜାପଣ୍ଡା ନିଯୋଗ ସହ ଆଲୋଚନା ହୋଇଥିଲା। ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଆଲୋଚନା ହୋଇଛି। ୧୯୭୧ ମସିହାରେ ମଧ୍ୟ ୧୩ଦିନିଆ ଅଣସର ପଡ଼ିଥିଲା। ତେଣୁ ସେହି ବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରା ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକ ସମ୍ପର୍କରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ସୂଚନା ଦେଇ କହିଛନ୍ତି, ଚଳିତ ବର୍ଷ ଅଣସର ୧୩ ଦିନ ପଡୁଥିବାରୁ ଗୋଟିଏ ଦିନରେ ନବଯୈାବନ ଦର୍ଶନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା କିପରି ଶୃଙ୍ଖଳିତ ଭାବରେ ହେବ ସେନେଇ ବୈଠକରେ ଆଲୋଚନା ହୋଇଛି। ୧୯୭୧ ମସିହା ରଥଯାତ୍ରାର ଯେପରି ହୋଇଥିଲା ତାହାର କପି ଶ୍ରୀମନ୍ଦିର ପ୍ରଶାସନକୁ ମଗାଯାଇଛି। ଉକ୍ତ ନୀତିକାନ୍ତିକୁ ଦେଖିବା ପରେ ଚଳିତ ବର୍ଷ ରଥଯାତ୍ରାର ନୀତିକାନ୍ତି ସମ୍ପାଦନ କରାଯିବ ବୋଲି ଦାସ ମହାପାତ୍ର କହିଛନ୍ତି। ଅପରପକ୍ଷରେ ଦଇତାପତି ନିଯୋଗ ସହ ବୈଠକ ଅନୁଷ୍ଠିତ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୂଜାପଣ୍ଡା ନିଯୋଗ ସହ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ଏନେଇ ପୂଜାପଣ୍ଡା ନିଯୋଗ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ଚଳିତବର୍ଷ ଅଣବସର ୧୩ ଦିନ ପଡୁଛି, ରଥଯାତ୍ରାକୁ ମିଶାଇଲେ ୧୫ ଦିନ ହେଉଛି। ତେଣୁ କେଉଁଦିନ ଆଜ୍ଞାମାଳ ବିଜେ ହେବ। ରଥଖଳାରୁ ସିଂହଦ୍ୱାରକୁ ରଥ ଟଣା ହୋଇଯିବ ସେ ନେଇ ଆଲୋଚନା କରାଯାଇଛି। ଚଳିତ ବର୍ଷ ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ଭକ୍ତମାନେ ଶ୍ରୀମନ୍ଦିରରେ ନବଯୌବନ ଦର୍ଶନରୁ ବଞ୍ଚତ୍ତ ହେବେ। ତେବେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହେବାପରେ କାର୍ଯ୍ୟକ୍ରମସ୍ଥିର କରାଯିବ। ୧୯୭୧ ମସିହାରେ ନୀତି ସମ୍ପନ୍ନ ହୋଇ ରଥଟଣା ହେବାବେଳକୁ ସନ୍ଧ୍ୟା ହୋଇଯାଇଥିଲା। କିଛି ବାଟ ରଥ ଟଣାହୋଇ ରହିଥିଲା। ପରଦିନ ପୁନର୍ବାର ରଥ ଟଣା ହୋଇଥିଲା। ଚଳିତବର୍ଷ ଯେହେତୁ ଗୋଟିଏ ଦିନରେ ନବଯାୈବନ ଓ ଶ୍ରୀଗଣ୍ଡିଚା ପଡୁଥିବାରୁ ରଥଟଣା ବିଳମ୍ବ ହୋଇପାରେ। ତେବେ ମହାପ୍ରଭୁଙ୍କ ଇଚ୍ଛାରେ ସବୁକିଛି ହୁଏ। ମହାପ୍ରଭୁ ଚାହିଁଲେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବ ବୋଲି ପୂଜାପଣ୍ଡା ସୂଚନା ଦେଇ କହିଛନ୍ତି। ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share