Categories: ଜାତୀୟ

ଏନସିକୁ ମିଳିଗଲା ବାହାରିଆ ସମର୍ଥନ, ଜମ୍ମୁ-କଶ୍ମୀରରେ କାମରେ ଆସିବନି କଂଗ୍ରେସର ୬ ବିଧାୟକ!

ନୂଆଦିଲ୍ଲୀ,୧୦।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ରେ ନ୍ୟାଶନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସର ମେଣ୍ଟ ଚମତ୍କାର ପ୍ରଦର୍ଶନ କରି ସଂଖ୍ୟାଗରିଷ୍ଠତା ହାସଲ କରିଛି। ୯୦ଟି ବିଧାନସଭା ଆସନରୁ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏନସି ୪୨ଟି ଆସନ ପାଇଥିବାବେଳେ କଂଗ୍ରେସ ୬ଟି ଆସନ ପାଇଛି। ଏନସି-କଂଗ୍ରେସ ଭାଜପାକୁ ହରାଇ ସରକାର ଗଠନ କରିଛନ୍ତି।

କିନ୍ତୁ ଏସବୁ ମଧ୍ୟରେ ଫଳାଫଳ ପରେ କ୍ରମାଗତ ଭାବରେ କିଛି ଏପରି ଘଟଣା ଘଟୁଛି, ଯେଉଁ କାରଣରୁ ଇଣ୍ଡିଆ ମେଣ୍ଟରେ କଂଗ୍ରେସର ଗୁରୁତ୍ୱ ହ୍ରାସ ପାଉଛି। ହରିୟାଣାରେ କଂଗ୍ରେସ ନିଜ ମେଣ୍ଟର ସହଯୋଗୀ ସଦସ୍ୟଙ୍କୁ ଆସନ ଦେଇ ନ ଥିବାବେଳେ ଏବେ ତାହା ପରାଜୟର ଅସଲ କାରଣ ସାଜିଛି। ଯାହାର କାରଣ କଂଗ୍ରେସ ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଏସବୁ ପରେ ପରେ ଇଣ୍ଡିଆ ମେଣ୍ଟର ଅନ୍ୟ ସଦସ୍ୟ କଂଗ୍ରେସ ସହ ଆସନ ଭାଗବଣ୍ଟା ନେଇ ସିଧା ମନା କରିଦେଇଛନ୍ତି। ଆମ ଆଦମୀ ପାର୍ଟି ଦିଲ୍ଲୀରେ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରିବା ସହ ସମାଜବାଦୀ ପାର୍ଟି ମଧ୍ୟ ଆସନ୍ତା ୟୁପି ଉପ-ନିର୍ବାଚନରେ କଂଗ୍ରେସକୁ ୩ରୁ ଅଧିକ ଆସନ ଦେବନାହିଁ ବୋଲି ସିଧା ଶୁଣେଇ ଦେଇଛି।

ଏସବୁ ଭିତରେ କଂଗ୍ରେସକୁ ଜମ୍ମୁ-କଶ୍ମୀରରେ ମଧ୍ୟ ବଡ଼ ଝଟ୍‌କା ଲାଗିପାରେ ବୋଲି କୁହାଯାଉଛି। ଏନସିର ୪ ନିର୍ଦ୍ଦଳୀୟ ବିଧାୟକ ଓ କେତେକ ଛୋଟ ଦଳର ସ୍ବାଧୀନ ବିଧାୟକ ଏନସିକୁ ସମର୍ଥନ ଘୋଷଣା କରିଛନ୍ତି। ଏହି ସମର୍ଥନରେ ଜମ୍ମୁ-କଶ୍ମୀରରେ ଏନସି ଆହୁରି ଶକ୍ତିଶାଳୀ ହୋଇଛି । ଏବେ ପ୍ରଶ୍ନ ଉଠୁଛି ଯେ କଂଗ୍ରେସର ଓଜନ ଏବେ ହ୍ରାସ ପାଇବାରେ ଲାଗିଛି।

ଏହାର କାରଣ ହେଉଛି, କଂଗ୍ରେସ ଜମ୍ମୁ କଶ୍ମୀରରେ ୬ଟି ଆସନ ପାଇଥିବାବେଳେ ଏନସି ୪୨ଟି ଆସନ ପାଇଛି। ତେବେ ଜମ୍ମୁ-କଶ୍ମୀରରେ ଆସନ ଗଣିତ ଅନୁଯାୟୀ ଦଳକୁ ବହୁମତ ପାଇବାକୁ ହେଲେ ଆଉ ୪ ବିଧାୟକ ଦରକାର ଅଛି। ନିର୍ବାଚନ ପୂର୍ବରୁ ଏନସିର କଂଗ୍ରେସ ଓ କଂଗ୍ରେସର ଏନସି ସରକାର ଗଠନ ପାଇଁ ପରସ୍ପର ସାହାଯ୍ୟ ଦରକାର ଥିଲା। କିନ୍ତୁ ଏବେ ବାଗି ସମ୍ପର୍ଣ୍ଣ ପଲଟି ଯାଉଥିବାର ଦେଖିବାକୁ ମିଳୁଛି। ଦଳ ଛାଡି ଯାଇଥିବା ୪ ନିର୍ଦ୍ଦଳୀୟ ବିଧାୟକ ଓ ଅନ୍ୟ ସ୍ବାଧୀନ ବିଧାୟକ ଏସନିକୁ ସମର୍ଥନ କରିଛନ୍ତି। ଏବେ ଏହାକୁ ମିଶାଇ ଏନସି କଂଗ୍ରେସ ବିନା ମଧ୍ୟ ସରକାର ଗଠନ କରିପାରିବ। ବିନା ସହଯୋଗରେ ଏନସି ଏବେ ସବୁ ନିଷ୍ପତ୍ତି ନେଇ ପାରିବ ଆଉ ତାକୁ କୌଣସି ନିଷ୍ପତ୍ତି ପୂର୍ବରୁ କଂଗ୍ରେସ ଆଗରେ ନଇଁବାକୁ ପଡିବାକୁ ନାହିଁ।

Share