Categories: ଜାତୀୟ

ମିଳିତ ବିରୋଧୀ ମେଣ୍ଟରେ ସାମିଲ ହେବନି ଏନସି: ଓମାର…

ଶ୍ରୀନଗର,୧୧।୬ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତ ବିରୋଧୀ ଦଳକୁ ଭାଜପା ବିରୋଧରେ ଏକଜୁଟ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ପ୍ରୟାସରେ ନୀତୀଶ କ୍ରମାଗତ ଭାବରେ ସମସ୍ତ ପ୍ରମୁଖ ଦଳର ମୁଖ୍ୟ ନେତାଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷରେ, ନ୍ୟାଶନାଲ କନଫରେନ୍ସ(ଏନସି) ଉପାଧ୍ୟକ୍ଷ ତଥା ପୂର୍ବତନ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଲୋକସଭା ନିର୍ବାଚନରେ ଭାଜପା ବିରୋଧରେ ହୋଇଥିବା ମିଳିତ ବିରୋଧୀ ମେଣ୍ଟରୁ ତାଙ୍କ ଦଳ ଦୂରେଇ ରହିଥିବା ଦର୍ଶାଇଛନ୍ତି।

ଭାଜପା ବିରୋଧରେ ସର୍ବଦଳୀୟ ଭାରତ ଗଠନ ପାଇଁ ବିରୋଧୀଙ୍କ ଆଶାକୁ ଖଣ୍ଡନ କରି ପୂର୍ବତନ ଓମାର କହିଛନ୍ତି ସେ ଏତେ ବଡ ମିଳିତ ମେଣ୍ଟରେ ତାଙ୍କ ଦଳ ପାଇଁ କୌଣସି ଲାଭ ଦେଖି ପାରୁନାହାଁନ୍ତି। ଜମ୍ମୁ-କଶ୍ମୀର ବାହାରେ ଆମେ କ’ଣ ଯୋଗଦାନ କରିପାରିବୁ? ଆମର ମୋଟ ୫ଟି ଲୋକସଭା ଆସନ ଅଛି । ଏହି ୫ଟି ଆସନରୁ କେଉଁ ଭୂକମ୍ପ ଅବା ଆସିବ? ଏହି ଆସନରେ ଆମକୁ ଭାଜପାର ସାମ୍ନା କରିବାକୁ ପଡିବ। ଜମ୍ମୁ-କଶ୍ମୀର ବାହାରେ କଣ ଘଟୁଛି ତାହା ଏକ ଦ୍ୱିତୀୟ ପ୍ରଶ୍ନ।

ଅନ୍ୟ ବିରୋଧୀ ଦଳ ସହ ମିଳିତ ହେବାର ସମ୍ଭାବନା ଉପରେ ଅବଦୁଲ୍ଲା କହିଛନ୍ତି ଧାରା ୩୭୦ ରଦ୍ଦ ହେବା ସମୟରେ ଏହିପରି ଅଧିକାଂଶ ଦଳ ନୀରବ ରହିଥିଲେ। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଘୋଷଣା ପୂର୍ବରୁ ପ୍ରି-ପୋଲ ମିଳିତ ମେଣ୍ଟ ଉପରେ ଆଲୋଚନା କରିବା ଠିକ ନୁହେଁ।

Share