Categories: ଜାତୀୟ

ଆର୍ଯ୍ୟନଙ୍କ ମାମଲାରେ ଭିଜିଲାନ୍ସ ତଦନ୍ତ

ନୂଆଦିଲ୍ଲୀ,୨୫।୧୦: ଡ୍ରାଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ଛାଡ଼ିବା ପାଇଁ ଶାହରୁଖ ଖାନଙ୍କ ଠାରୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଆଞ୍ଚଳିକ ମୁଖ୍ୟ ସମୀର ଓ୍ବାଙ୍ଖଡେ ୨୫ କୋଟି ଟଙ୍କା ମାଗିଥିଲେ। ଚଢ଼ାଉ ବେଳେ କ୍ରୁଜ ଜାହାଜରେ ଉପସ୍ଥିତ ଥିବା ଜଣେ ସାକ୍ଷୀ ପ୍ରଭାକର ସୈଲ୍‌ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇବା ପରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛି ଏନ୍‌ସିବି। ତଦନ୍ତକାରୀ ସଂସ୍ଥାର ଉତ୍ତରାଞ୍ଚଳ ଉପମହାନିର୍ଦ୍ଦେଶକ(ଡିଡିଜି) ତଥା ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଜ୍ଞାନେଶ୍ୱର ସିଂଙ୍କ ଦ୍ୱାରା ଯାଞ୍ଚ ହେବ।

ପ୍ରଭାକାର ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ଆର୍ୟନଙ୍କୁ ମୁକୁଳାଇବା ପାଇଁ ୨୫ କୋଟି ଟଙ୍କା ଶାହରୁଖଙ୍କୁ ମଗାଯାଇଥିଲା। ଶେଷରେ ୧୮ କୋଟିରେ କଥା ଛିଣ୍ଡିଥିଲା। ସେଥିମଧ୍ୟରୁ ୮ କୋଟି ଓ୍ବାଙ୍ଖଡେ ନେବେ ବୋଲି ସ୍ଥିର ହୋଇଥିଲା। ଶାହରୁଖଙ୍କ ମ୍ୟାନେଜର ଏକ ବ୍ଲ୍ୟୁ ମର୍ସିଡିସ୍‌ରେ ସେମାନଙ୍କୁ ଭେଟିବା ପାଇଁ ଲୋୟର ପାରେଲ୍‌ ଆସିଥିଲେ। ହେଲେ ମ୍ୟାନେଜରଙ୍କ ପକ୍ଷରୁ କୌଣସି ପଜିଟିଭ୍‌ ପ୍ରତିକ୍ରିୟା ନ ମିଳିବାରୁ ଡିଲ୍‌ ହୋଇପାରି ନ ଥିଲା ଡିଲ୍‌।

ଏପରି କି ଏହି ମାମଲାରେ ସାକ୍ଷୀ କରିବା ପାଇଁ ପ୍ରଭାକରଙ୍କଠାରୁ ଓ୍ବାଙ୍ଖଡେ ୮ରୁ ୧୦ ପୃଷ୍ଠା ସାଧା କାଗଜରେ ଦସ୍ତଖତ ନେବା ସହ ତାଙ୍କ ଆଧାରକାର୍ଡ ନେଇଥିବା ସେ ଅଭିଯୋଗ କରିଥିଲେ। ଏ ନେଇ ଡିଡିଜି ସିଂ କହିଛନ୍ତି, ଓ୍ବାଙ୍ଖଡେ ଏବଂ ଏନ୍‌ସିବିର ଅନ୍ୟ କର୍ମଚାରୀଙ୍କ ନାମରେ ଏଭଳି ଅଭିଯୋଗ ଆସିବା ପରେ ସେ ନିଜ ଆଡ଼ୁ ମାମଲାର ତଦନ୍ତ ଦାୟିତ୍ୱ ନେଇଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ କରାଯାଇ ସତ୍ୟ ସାମ୍‌ନାକୁ ଅଣାଯିବ। ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ମୁକ୍ତ ଓ ସ୍ବଚ୍ଛ ତଦନ୍ତ କରାଯିବ। କିଛି ଦିନ ମଧ୍ୟରେ ଓ୍ବାଙ୍ଖଡେ ଏନ୍‌ସିବି ମୁଖ୍ୟାଳୟରେ ହେବାକୁ ଥିବା ଯାଞ୍ଚରେ ହାଜତ ହେବେ ବୋଲି ଜଣାଯାଇଛି।

Share