Categories: ଜାତୀୟ

ସମସ୍ତ ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ନେଇ କର୍ନାଟକ ସରକାରଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ ଏନସିବିସି

ବେଙ୍ଗାଲୁରୁ,୨୫।୪: ନ୍ୟାସନାଲ କମିଶନ ଫର ବ୍ୟାକଓ୍ବାର୍ଡ କ୍ଲାସେସ (ଏନସିବିସି) ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ କର୍ନାଟକର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି। ବର୍ତ୍ତମାନ ଏନସିବିସି କର୍ନାଟକର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏହାକୁ ନେଇ ସମନ ପଠାଇବାକୁ ପ୍ରସ୍ତୁତ ହେଉଛି। ଜାତୀୟ ପଛୁଆ ବର୍ଗ ଆୟୋଗ (ଏନସିବିସି) ଅଧ୍ୟକ୍ଷ ହଂସରାଜ ଅହିର ଏହି ସୂଚନା ଦେଇଛନ୍ତି। ହଂସରାଜ ଅହିର କହିଛନ୍ତି ଯେ କର୍ନାଟକର ମୁସଲମାନ ଧର୍ମର ସମସ୍ତ ଜାତି ଏବଂ ସମ୍ପ୍ରଦାୟକୁ ସାମାଜିକ ତଥା ଶିକ୍ଷାଗତ ପଛୁଆ ବୋଲି ବିଚାର କରି ସେମାନଙ୍କୁ ପଛୁଆ ବର୍ଗର ରାଜ୍ୟ ତାଲିକାରେ ଦ୍ୱିତୀୟ ବି ଶ୍ରେଣୀ ଅଧୀନରେ ମୁସଲମାନ ଜାତି ଭାବରେ ପୃଥକ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି।

ହଂସରାଜ ଅହିର କହିଛନ୍ତି ଯେ ଏହି ବର୍ଗୀକରଣ ହେତୁ ମୁସଲମାନମାନେ ସମ୍ବିଧାନର ଧାରା ୧୫ (୪) ଏବଂ ୧୬(୪) ଅନୁଯାୟୀ ଶିକ୍ଷାନୁଷ୍ଠାନ ତଥା ରାଜ୍ୟ ସେବା ଚାକିରିରେ ସଂରକ୍ଷଣର ଲାଭ ପାଇବେ। ଏନବିସି କହିଛି ଯେ ଓବିସି ବର୍ଗର ସମସ୍ତ ମୁସଲମାନମାନଙ୍କୁ ସଂରକ୍ଷଣ ଦେବା ମଧ୍ୟ ମୁସଲମାନ ସମ୍ପ୍ରଦାୟର ବିବିଧତା ଏବଂ ଜଟିଳତାକୁ ଅଣଦେଖା କରିଛି। ଅହିର କହିଛନ୍ତି ଯେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ପଠାଇଥିବା ଉତ୍ତର ସନ୍ତୋଷଜନକ ନୁହେଁ ତେଣୁ ସେ କର୍ନାଟକର ମୁଖ୍ୟ ଶାସନ ସଚିବଙ୍କୁ ଡକାଇ ସ୍ପଷ୍ଟୀକରଣ ମାଗିବେ।

Share