Categories: ଜାତୀୟ

୧୧୦୦ରୁ ଅଧିକ ସ୍କୁଲରେ ପ୍ରଦାନ କରାଯିବ ଏନ୍‌ସିସି ତାଲିମ୍‌

ନୂଆଦିଲ୍ଲୀ, ୨୧।୧: ଦେଶର ଉପକୂଳବର୍ତ୍ତୀ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଏନ୍‌ସିସି ତାଲିମ ପ୍ରଦାନ କରାଯିବ। ଏନେଇ ୧୧୦୦ରୁ ଅଧିକ ସ୍କୁଲକୁ ଚିହ୍ନଟ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏସମ୍ପର୍କରେ ଗୁରୁବାର ସୂଚନା ଦେଇଛନ୍ତି। ଦିଲ୍ଲୀର ଏନ୍‌ସିସି ପରେଡ଼ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି। ନିଯୁକ୍ତି କ୍ଷେତ୍ରରେ ଏନ୍‌ସିସି କ୍ୟାଡେଟ୍‌ଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ମହିଳା ସଶକ୍ତିକରଣ ପାଇଁ ଏନ୍‌ସିସି ତାଲିମରେ ଛାତ୍ରୀଙ୍କ ସଂଖ୍ୟା ୨୮ରୁ ୩୩ ପ୍ରତିଶତ ବୃଦ୍ଧି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ପୂର୍ବରୁ ଏନ୍‌ସିସି କ୍ୟାଡେଟ୍‌ଙ୍କୁ ୧୪୩ ବର୍ଗରେ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଉଥିଲା। ଏବେ ଏହାକୁ ୨୪୩କୁ ବୃଦ୍ଧି କରାଯାଇଛି। ଭାରତ ସବୁବେଳେ ବିଶ୍ୱ ଭାତୃତ୍ୱରେ ବିଶ୍ୱାସ କରେ। ସାରା ପୃଥିବୀ ଗୋଟିଏ ବଡ଼ ପରିବାର। ଏହି ମର୍ମରେ କରୋନା ମହାମାରୀ ସଙ୍କଟ ସମୟରେ ଭାରତ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ସେ କହିଛନ୍ତି। ମହାମାରୀ ସମୟରେ ଏନ୍‌ସିସି କ୍ୟାଡେଟ୍‌ମାନେ ଖାଦ୍ୟ ପୁଡ଼ିଆ, ମାସ୍କ୍‌ ଏବଂ ସାନିଟାଇଜର ଆଦି ବଣ୍ଟନ କରିବା ସହିତ କରୋନା ବିରୋଧୀ ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗ୍ରହଣ କରିଥିବା ସେ କହିଛନ୍ତି।

Share