Categories: ଜାତୀୟ

ଏନସିସିଏସଏ ଅର୍ଡିନାନ୍ସ ରାଜନୈତିକ ଯୁଦ୍ଧ, ୨୦୨୪ର ସେମିଫାଇନାଲ: କେଜରିଓ୍ବାଲ…

ନୂଆଦିଲ୍ଲୀ,୨୧।୫ : ଦିଲ୍ଲୀର ସେବା ଉପରେ ନିୟନ୍ତ୍ରଣ ପାଇଁ ଦାବି ବର୍ତ୍ତମାନ ସୁପ୍ରିମକୋର୍ଟ ଛାଡିବା ପରେ ଏବେ ସଂସଦରେ ପହଞ୍ଚିବାକୁ ଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବର୍ତ୍ତମାନ ଏହି ରାଜନୈତିକ ଯୁଦ୍ଧକୁ ୨୦୨୪ର ସେମିଫାଇନାଲ ବୋଲି କହୁଛନ୍ତି ଏବଂ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି। ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ସମ୍ପର୍କରେ କେନ୍ଦ୍ର ସରକାର ’ନ୍ୟାଶନାଲ କ୍ୟାପିଟାଲ ସିଭିଲ ସର୍ଭିସେସ ଅଥରିଟି’ (ଏନସିସିଏସଏ ଅର୍ଡିନାନ୍ସ) ଗଠନ ପାଇଁ ଏକ ଆଦେଶ ଘୋଷଣା କରିବା ପରେ କେନ୍ଦ୍ର ବିରୋଧରେ କେଜରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି (ଏଏପି) ଖୋଲାଖୋଲି ଭାବେ ବିଦ୍ରୋହ ଘୋଷଣା କରିଛି।

କେନ୍ଦ୍ର ଆଣିଥିବା ଏନସିସିଏସଏ ନିୟମ ଉପରେ ସୂଚନା ଦେଇ ରବିବାର କେଜରିଓ୍ବାଲ କହିଛନ୍ତି ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ବେଞ୍ଚ ୫-୦ ଆଦେଶରେ ସେବା ନିୟନ୍ତ୍ରଣ ପାଇଁ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ସମସ୍ତ କ୍ଷମତା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶର ଠିକ ଅଷ୍ଟମ ଦିନରେ କେନ୍ଦ୍ର ସରକାର ଏକ ଆଦେଶ ଜାରି କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କରି ନିର୍ବାଚିତ ସରକାରଙ୍କ ସମସ୍ତ କ୍ଷମତା ଛଡ଼ାଇ ନେଇ ସରକାରଙ୍କୁ ଅକ୍ଷମ କରିଛନ୍ତି।

ବର୍ତ୍ତମାନ କେବଳ ଉପରାଜ୍ୟପାଳ ଦିଲ୍ଲୀ ଚଳାଇବେ। ଏହା ସମ୍ବିଧାନର ବିରୋଧୀ। ସଂସଦରେ ଦେଶର ସମସ୍ତ ବିରୋଧୀ ଦଳଙ୍କୁ କେଜ୍ରିୱାଲ ନିବେଦନ କରିଛନ୍ତି ଯେତେବେଳେ ବି କେନ୍ଦ୍ର ସରକାର ଏହି ନିୟମକୁ ବିଲ ଆକାରରେ ଆଣିବେ, ସେତେବେଳେ ସମସ୍ତ ଅଣ ଭାଜପା ଦଳ ଏକାଠି ହେଲେ ଏହି ବିଲ ରାଜ୍ୟସଭାରେ ପରାସ୍ତ ହୋଇପାରିବ। ଯଦି ଏହି ବିଲ ରାଜ୍ୟସଭାରେ ପରାସ୍ତ ହୁଏ, ତେବେ ଏହା ୨୦୨୪ ର ସେମିଫାଇନାଲ ହେବ ଏବଂ ୨୦୨୪ ମସିହାରେ ଭାଜପା ସରକାର ହଟାଇବାକୁ ବାର୍ତ୍ତା ଯିବ।

Share