Categories: ଜାତୀୟ

ପୁସ୍ତକରୁ ହଟିଲା ଦଙ୍ଗା, ନକ୍ସଲ-ଜରୁରୀ ପରିସ୍ଥିତି ବିଷୟ

ନୂଆଦିଲ୍ଲୀ,୧୮।୬: ନ୍ୟାଶନାଲ କାଉନସିଲ୍‌ ଅଫ୍‌ ଏଜୁକେଶନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନ୍‌ସିଇଆର୍‌ଟି) ଦ୍ୱାଦଶ ଶ୍ରେଣୀର ବିଭିନ୍ନ ପାଠ୍ୟପୁସ୍ତକରୁ ୨୦୦୨ ଗୁଜରାଟ ଦଙ୍ଗା, ଶୀତଳ ଯୁଦ୍ଧ, ନକ୍ସଲ ଆନ୍ଦୋଳନ ଏବଂ ମୋଗଲ କୋର୍ଟ ବିଷୟକୁ ହଟାଇଦେଇଛି। ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଗୁଜରାଟ ଦଙ୍ଗା ବିଷୟକୁ ବାଦ୍‌ ଦିଆଯାଇଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ପାଠ୍ୟପୁସ୍ତକ ସୁବ୍ୟବସ୍ଥୀକରଣ ପଦକ୍ଷେପ ସ୍ବରୂପ ବିଭିନ୍ନ ପାଠ୍ୟପୁସ୍ତକରୁ କେତେକ ବିଷୟକୁ ବାଦ୍‌ ଦିଆଯାଇଥିବା କୁହାଯାଇଛି। ଗୁଜରାଟ ସାମ୍ପ୍ରଦାୟିକ ଦଙ୍ଗା ବେଳେ ସରକାରୀ କଳ ପ୍ରଭାବିତ ହୋଇଥିଲା। ଗଣତାନ୍ତ୍ରିକ ରାଜନୀତି ପାଇଁ ଏହା ବିପଦ ବୋଲି ଏକ ଫଟୋ ମାଧ୍ୟମରେ ଦର୍ଶାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ‘ରାଜ ଧର୍ମ’ ପାଳନ କର ବୋଲି ନିର୍ଦ୍ଦେଶ ଦେଇଥିଲେ। ଧର୍ମ, ସମ୍ପ୍ରଦାୟ, ଜାତିକୁ ନେଇ ଜଣେ ଶାସକ କୌଣସି ପକ୍ଷପାତ କରିବା ଉଚିତ ନୁହେଁ ବୋଲି ବାଜପେୟୀ କହିଥିଲେ। ଏହି ସମସ୍ତ ବିଷୟକୁ ପାଠ୍ୟପୁସ୍ତକରୁ ହଟାଇଦିଆଯାଇଛି। ଏହା ବ୍ୟତୀତ ଇତିହାସ ବହିରୁ ‘ନକ୍ସଲ ଆନ୍ଦୋଳନ’ ଏବଂ ‘ଜରୁରୀ ସ୍ଥିତିକୁ ନେଇ ବିବାଦ’ ବିଷୟକୁ ବାଦ୍‌ ଦିଆଯାଇଛି।

Share