କୋଇଲା ଖସାଇବା ବେଳେ ଅଘଟଣ: ଜଳିଗଲେ ନାବାଳକ

ପାରାଦୀପ,୧।୩(ଶରତ ରାଉତ): ପାରାଦୀପ ଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ତଳେ ଶନିବାର ଖରାବେଳେ ଅଘଟଣ ଘଟିଛି। ଦୁଇଜଣ ନାବାଳକ ଚଳନ୍ତା ଟ୍ରେନରେ ଚଢି କୋଇଲା ତଳକୁ ଖସାଇବା ବେଳେ ବିଦ୍ୟୁତ ସଂଶର୍ପରେ ଆସି ପୋଡି ଯାଇଛନ୍ତି। ଆହତ ନାବଳକ ହେଲେ ସବଷ୍ଟେସନ ବସ୍ତିର ନନ୍ଦନ(ନଣ୍ଡା)। ସେ ଓ ତା’ର ସାଙ୍ଗ ବର୍ଦ୍ଧନ ଦୁହେଁ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରୁ ବାହାରୁଥିବା କୋଇଲା ବୋଝେଇ ଟ୍ରେନରୁ କୋଇଲା ତଳକୁ ଖସାଉ ଥିଲେ। ଏହି ସମୟରେ ସେ ବିଦ୍ୟୁତ ତାର ସହିତ ଲାଗି ଯାଇଥିଲେ। ଘଟଣାସ୍ଥଳରେ ସେ ପୋଡି ହୋଇ ତଳକୁ ଖସି ପଡିଥିଲେ। ଗୁରୁତର ଆହତ ଅବସ୍ଥାରେ ସେଠାକାର ଜଣେ ମହିଳା ଶିବାନୀ ଗିରି ତାଙ୍କୁ ଉଦ୍ଧାର କରି ବିଜୁ ମେମୋରିଆଲ ହସପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର କଟକ ବଡ଼ ମେଡ଼ିକାଲ ପଠାଇଥିଲେ।
ସୂଚନାଯୋଗ୍ୟ ସେହି ଓଭରବ୍ରିଜ ତଳୁ ନିୟମିତ କୋଇଲା ଚୋରି ହୁଏ। ଗତ ଫେବୃଆରୀ ୭ ରେ ଓଭରବ୍ରିଜ ତଳ ଫାଣ୍ଡି କଲୋନୀ ମଧ୍ୟରୁ ବିପୁଳ ପରିମାଣର କୋଇଲା ଆରପିଏଫ ଓ ପୋଲିସ ଜବତ କରିଥିଲା। ଏବେ ସେହି ଚୋରି ଘଟଣା ପାଇଁ ଜଣେ ନାବାଳକଙ୍କ ଜୀବନ ସଙ୍କଟାପନ୍ନ ହୋଇଛି। ଏହି କାରବାର ପଛରେ ଅନେକ ପ୍ରଭାବଶାଳୀ ଲୋକଙ୍କ ଭୂମିକା ରହିଛି। ସାମାନ୍ୟ ଅର୍ଥ ଲୋଭରେ ଛୋଟ ପିଲାମାନେ ବିପଦପୂର୍ଣ୍ଣ ଭାବେ ଏଭଳି ଟ୍ରେନ ଉପରେ ଚଢି ଚୋରି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

Share