Categories: ବାଣିଜ୍ୟ

ଜୀ-ସୋନିର ମିଶ୍ରଣକୁ ଏନ୍‌ସିଏଲ୍‌ଟିର ଅନୁମତି

ଭୁବନେଶ୍ୱର,୧୧।୮:ଦେଶର ପ୍ରମୁଖ ଗଣମାଧ୍ୟମ କମ୍ପାନୀ ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ୍‌ ଲିମିଟେଡ୍‌ ଏବଂ ସୋନି ପିକ୍ଚର୍ସ ନେଟ୍‌ଓ୍ବାର୍କ ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା। ଏହା ବିରୋଧରେ ବିଭିନ୍ନ ପରିଚାଳନା ଏବଂ ଆର୍ଥିକ ଋଣଦାତାମାନେ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି)ରେ ଜି-ସୋନି ବିଲୟ ଯୋଜନା ଉପରେ ଆପତ୍ତି ଉଠାଇଥିଲେ। କାରଣ କମ୍ପାନୀ ଆଇଡିବିଆଇ ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ୍‌ ଏବଂ ଆଇପିଆର୍‌ଏସ୍‌ ଭଳି ଅନେକ ଆର୍ଥିକ ସଂସ୍ଥା ସହ ବୁଝାମଣା କରିଥିଲା। ଦୀର୍ଘ ଦିନର ନ୍ୟାୟିକ ଲଢ଼େଇ ପରେ ୨୦୨୩ ଅଗଷ୍ଟ ୧୦ରେ ମନୋରଞ୍ଜନ ଜଗତର ୨ ବଡ଼ କମ୍ପାନୀଙ୍କ ମିଶ୍ରଣକୁ ଅନୁମତି ମିଳିଲା। ଏପରିକି ଗୁରୁବାର ଏନ୍‌ସିଏଲ୍‌ଟିର ମୁମ୍ବାଇ ପୀଠ ଜୀ- ସୋନିର ମିଶ୍ରଣକୁ ଅନୁମତି ଦେଇଛନ୍ତି। ଏହା ସହ ଜୀ-ସୋନି ବିଲୟକୁ ନେଇ ଥିବା ସବୁ ଆପତ୍ତିକୁ ମଧ୍ୟ ପୀଠ ଖାରଜ କରିଛନ୍ତି। ନ୍ୟାୟିକ ସଦସ୍ୟ ଏଚ୍‌.ଭି.ଶୁଭା ରାଓ ଏବଂ ପ୍ରଯୁକ୍ତି ସଦସ୍ୟ ମଧୁ ସିହ୍ନାଙ୍କ ଖଣ୍ଡପୀଠ ବିଲୟ ମାମଲା ସମ୍ପର୍କିତ ଆଦେଶକୁ ସୁରକ୍ଷିତ ରଖିଛନ୍ତି। ଅପରପକ୍ଷରେ ଏହି ଖବର ପ୍ରସାରଣ ପରେ ଜୀ ଏଣ୍ଟରଟେନ୍‌ମେଣ୍ଟର ଶେୟାର ମୂଲ୍ୟରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଛି। ସେହିଭଳି ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ ଲିମିଟେଡ୍‌କୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ବାର୍ଷିକ ଆଧାର)ରେ ୫୩.୪୨ କୋଟିର କ୍ଷତି ହୋଇଛି। ଏହାର କାରଣ କଲଭର ମ୍ୟାକ୍ସ ସହ ବିଲୟ ବୋଲି କୁହାଯାଇଛି। ତ୍ରୈମାସିକ ସମୟରେ କଲଭର ମ୍ୟାକ୍ସ ସହ ବିଲୟ ଯୋଗୁ କମ୍ପାନୀକୁ ୭୦.୬୪କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ହୋଇଛି। ଏ ସମ୍ପର୍କରେ ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ୍‌ ଲିମିଟେଡ୍‌ ପକ୍ଷରୁ କୁହାଯାଇଛି, କମ୍ପାନୀ ଗତ ବର୍ଷ ସମାନ ତ୍ରୈମାସିକରେ ୧୦୬.୬୦କୋଟି ଟଙ୍କାର ଲାଭ କରିଥିଲା।

Share