Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପଦ ଦାବି କରିପାରିବ ଏନ୍‌ସିପି: ଅଜିତ ପାଓ୍ବାର

ପୁଣେ,୨୩।୪: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ବରିଷ୍ଠ ନେତା ଅଜିତ ପାଓ୍ବାରଙ୍କ ପରବର୍ତ୍ତୀ ରାଜନୈତିକ କାର୍ଯ୍ୟପନ୍ଥାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସେ ପର୍ଯ୍ୟନ୍ତ ଅପେକ୍ଷା ନ କରି ତାଙ୍କ ଦଳ ଏବେ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଉପସ୍ଥାପନ କରିପାରିବ ବୋଲି ଅଜିତ କହିଛନ୍ତି। ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ନେଇ ଶହେ ପ୍ରତିଶତ ସମ୍ଭାବନା ରହିଥିବା ବିଧାନସଭାର ବିରୋଧୀ ଦଳ ନେତା ପୁଣେରେ ଏକ ସାକ୍ଷାତ୍‌କାର ଦେଇ କହିଛନ୍ତି। ସେ କହିଛନ୍ତି, ୨୦୨୨ ଜୁନ୍‌ରେ ଶିବସେନା ନେତୃତ୍ୱ ବିରୋଧରେ ବିଦ୍ରୋହ କରିବା ପୂର୍ବରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଅସନ୍ତୁଷ୍ଟ ଥିଲେ ଓ କିଛି କରିବା ପାଇଁ ଚିନ୍ତା କରୁଥିଲେ। ୨୦୦୪ ବିଧାନସଭା ନିର୍ବାଚନରେ ସହଯୋଗ କଂଗ୍ରେସଠାରୁ ଏନ୍‌ସିପି ଅଧିକ ଆସନ ଜିତିଥିଲା। ତତ୍କାଳୀନ ଏନ୍‌ସିପି ନେତା ଆର୍‌.ଆର୍‌. ପାଟିଲ ସେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ତେବେ ତାଙ୍କ ଦଳ ଉପମୁଖ୍ୟମନ୍ତ୍ରୀ ପଦ ପାଇବ ବୋଲି ସେତେବେଳେ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଥିବା କଥା ଅଜିତ ପ୍ରକାଶ କରିଛନ୍ତି। ଆସନ୍ତା ବର୍ଷ ନିର୍ବାଚନରେ ତାଙ୍କ ଦଳ ମୁଖ୍ୟମନ୍ତ୍ରୀ ପଦ ଦାବି ଉଠାଇବ କି ବୋଲି ପ୍ରଶ୍ନ ହେବାରୁ ଅଜିତ କହିଥିଲେ, ୨୦୨୪ କାହିଁକି? ଏବେ ମଧ୍ୟ ତାଙ୍କ ଦଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଉପସ୍ଥାପନ କରିବାକୁ ପ୍ରସ୍ତୁତ। ତେବେ ଏନେଇ ସେ ଅଧିକ କିଛି କହିବାକୁ ମନା କରିଦେଇଥିଲେ।
ସୂଚନାଯୋଗ୍ୟ, ଶୁକ୍ରବାର ଏନ୍‌ସିପି ମୁମ୍ବାଇ ୟୁନିଟ୍‌ର ବୈଠକରେ ଅଜିତ ପାଓ୍ବାର ଯୋଗ ନ ଦେବାରୁ ତାଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ବୈଠକରେ ସାମିଲ ହୋଇପାରିଲେ ନାହିଁ ବୋଲି ସେ କହିଥିଲେ।

Share