Categories: ଜାତୀୟ

ୟୁପିରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ଏନ୍‌ସିପି, ଗୋଆରେ କଂଗ୍ରେସ-ଟିଏମ୍‌ସି ସହ ଚାଲିଛି କଥାବାର୍ତ୍ତା: ପାୱାର

ମୁମ୍ବାଇ,୧୧ ।୧: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟ । ଏହାରି ଭିତରେ ମଙ୍ଗଳବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର ଏକ ଖବରଦାତା ସମ୍ମିଳନୀରେ ବଡ ଘୋଷଣା କରିଛନ୍ତି । ପାୱାର କହିଛନ୍ତି ଉତ୍ତର ପ୍ରଦେଶରେ ଏନ୍‌ସିପି, ସମାଜବାଦୀ ପାର୍ଟି ଓ ଅନ୍ୟ ଛୋଟ ଦଳ ସହ ମିଶି ନିର୍ବାଚନ ଲଢିବାକୁ ଯାଉଛି । କାରଣ ଉତ୍ତର ପ୍ରଦେଶରେ ଜନତା ପରିର୍ତ୍ତନ ଚାହୁଁଛନ୍ତି । ଆଉ ଏହି ପରିବର୍ତ୍ତନ ଆଗାମୀ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିବ । ସେହିପରି ଗୋଆରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ଏନ୍‌ସିପି କଂଗ୍ରେସ ଓ ତୃଣମୂଳ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିବ ବୋଲି ସ୍ଥିର କରିଛି । ଏଥିପାଇଁ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ସହ କଥାବାର୍ତ୍ତା ଚାଲିଛି ବୋଲି ସେ କହିଛନ୍ତି । ଅନୁମାନ କରାଯାଉଛି କି ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇବାକୁ ପାୱାର ମହାରାଷ୍ଟ୍ର ଭଳି ଗୋଆରେ ମହାବିକାଶ ଅଘାଡି ଭଳି ମେଣ୍ଟ ଗଢିବାକୁ ଚେଷ୍ଟା ଚଳାଇଛନ୍ତି । ପାୱାର ଆହୁରି ମଧ୍ୟ କହିଛନ୍ତି ଉତ୍ତର ପ୍ରଦେଶରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଭଳି ଆହୁରି ୧୩ ବିଧାୟକ ଭାଜପା ଛାଡି ସମାଜବାଦୀ ପାର୍ଟିରେ ଯୋଗଦେବେ ।

Share