Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ନମାଜ, ହନୁମାନ ଚାଳିଶା ପାଠ ପାଇଁ ଅନୁମତି ମାଗିଲେ ଏନ୍‌ସିପି ନେତ୍ରୀ

ମୁମ୍ବାଇ,୨୫।୪: ମହାରାଷ୍ଟ୍ରରେ ହନୁମାନ ଚାଳିଶା ପାଠକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏହାକୁ ନେଇ ରାଜନୀତି ସରଗରମ ହୋଇପଡିଛି। ଏନସିପି ଦଳର କର୍ମୀ ଫହମିଦା ହାସନ ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ବାହାରେ ହନୁମାନ ଚାଳିଶା ପାଠ ପାଇଁ ଅନୁମତି ମାଗିଛନ୍ତି। ସେ ଏହି ଚିଠିରେ ଲେଖିଛନ୍ତି, ମୁଁ ହେଉଛି ଫହମିଦା ହାସନ ଖାନ, କାନ୍ଦିଭନ୍‌ଲୀ ମୁମ୍ବାଇ ମହାରାଷ୍ଟ୍ର, ମୋତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ବାହାରେ ହନୁମାନ ଚାଳିଶା, ନମାଜ, ନଭକାର ମନ୍ତ୍ର, ଗୁରୁ ଗ୍ରନ୍ଥ ପଢିବାକୁ ଅନୁମତି ଦେବାକୁ ଅନୁରୋଧ। ଦୟାକରି ମୋତେ ଦିନ ଏବଂ ସମୟ କୁହନ୍ତୁ।
ଫହମିଦା କହିଛନ୍ତି, ସେ ସବୁବେଳେ ତାଙ୍କ ଘରେ ହନୁମାନ ଚାଳିଶା ଏବଂ ଦୁର୍ଗା ପୂଜା କରନ୍ତି। କିନ୍ତୁ ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଦରୁ ଉଠାଇବା ଜରୁରୀ ହୋଇପଡିଛି। ଯଦି ରବି ରାଣା ଏବଂ ନବନୀତ୍‌ ରାଣା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାଥୋଶ୍ରୀ ବାହାରେ ହନୁମାନ ଚାଳିଶା ମହାରାଷ୍ଟ୍ରର ଲାଭ ଦେଖୁଛନ୍ତି, ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନ ବାହାରେ ହନୁମାନ ଚାଳିଶା ସହ ବିଭିନ୍ନ ଧର୍ମର ମନ୍ତ୍ର ପଢିଲେ ଦେଶ ଲାଭବାନ ହେବ।
ସ୍ବାଧୀନ ଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣା ମୁମ୍ବାଇ ଜେଲରେ ରହିଛନ୍ତି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସମ୍ମୁଖରେ ହନୁମାନ ଚାଳିଶା ପାଠ ପାଇଁ ଖୋଲା ଚାଲେଞ୍ଚ ଦେବା ପରେ ପୋଲିସ ଉଭୟଙ୍କୁ ଶନିବାର ଗିରଫ କରିଥିଲା।

Share