Categories: ଜାତୀୟ

କଳାହାଣ୍ଡି ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ଏନ୍‌ସିପିସିଆର୍‌

ନୂଆଦିଲ୍ଲୀ, ୧୩।୧୧: କଳାହାଣ୍ଡିର ସନ୍‌ସାଇନ ପବ୍ଲିକ୍‌ ସ୍କୁଲ୍‌ର ନାବାଳିକା ଛାତ୍ରୀମାନଙ୍କୁ ଯୌନ ଶୋଷଣ କରାଯିବା ଅଭିଯୋଗର ତୁରନ୍ତ ତଦନ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ଲାଗି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍‌ସିପିସିଆର୍‌) କଳାହାଣ୍ଡି ଏସ୍‌ପିଙ୍କୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏତଲା କପି ସାଙ୍ଗକୁ ସିଆର୍‌ପିସିର ଧାରା ୧୬୪ରେ ରେକର୍ଡ କରାଯାଇଥିବା ବୟାନ ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ, ସ୍କୁଲ୍‌ରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ଓ ସେମାନଙ୍କ ବୟସ ସମ୍ପର୍କରେ ଜଣାଇବା ଲାଗି ଏସ୍‌ପିଙ୍କୁ କୁହାଯାଇଛି। ପୋକ୍ସୋ ଆଇନ ବଳରେ ମାମଲା ରୁଜୁ ହୋଇଛି କି ନାହିଁ ତାହା ଜାଣିବାକୁ କମିଶନ ଚାହିଁଛନ୍ତି।
ଅଭିଯୋଗ ଅନୁଯାୟୀ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ୍‌ର ପରିଚାଳନା କମିଟି ଅଧ୍ୟକ୍ଷ ଥିବା ଗୋବିନ୍ଦ ସାହୁ ନାବାଳିକା ଛାତ୍ରୀମାନଙ୍କୁ ଯୌନ ଶୋଷଣ କରୁଥିଲେ। ସ୍କୁଲ୍‌ର ଏକ ସ୍ବତନ୍ତ୍ର ପ୍ରକୋଷ୍ଠରେ ସାହୁଙ୍କ ଦ୍ୱାରା ଏଭଳି ଯୌନ କାର୍ଯ୍ୟ ଚାଲିଥିଲା। ପରୀକ୍ଷାରେ ଭଲ ନମ୍ବର ଦେବାର ପ୍ରଲୋଭନ ଦେଖାଇ ସେ ଛାତ୍ରୀମାନଙ୍କୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉକ୍ତ ସ୍କୁଲ୍‌କୁ ବାରମ୍ବାର ଗସ୍ତ କରୁଥିଲେ। ଛାତ୍ରୀଙ୍କ ସମେତ ଛାତ୍ରମାନେ ମଧ୍ୟ ଯୌନ ଶୋଷଣର ଶିକାର ହେଉଥିଲେ ବୋଲି କମିଶନ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଅଭିଯୋଗରେ ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ସହ ସମ୍ପର୍କ ରଖିଥିବା ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିରୋଧୀ ଦଳଗୁଡ଼ିକ ଆନ୍ଦୋଳନ ଚଳାଇଛନ୍ତି। ଓଡ଼ିଶା ଯୁବ କଂଗ୍ରେସ ପକ୍ଷରୁ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ସ୍ମାରକପତ୍ର ଦିଆଯାଇ ମମିତା ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଛି।

Share