ଚଣ୍ଡିଗଡ଼,୨୦।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂ ଚାନ୍ନି ସୋମବାର ଶପଥ ଗ୍ରହଣ କରିଛନ୍ତି। ଶପଥ ନେବାର କିଛି ଘଣ୍ଟା ପରେ ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଜାତୀୟ ମହିଳା କମିଶନ (ଏନ୍ସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା।
ଏକ ବିବୃତିରେ ଏନ୍ସିଡବ୍ଲ୍ୟୁ ଅଧ୍ୟକ୍ଷା କହିଛନ୍ତି, ମହିଳା ବିରୋଧୀ ଅପରାଧରେ ସମ୍ପୃକ୍ତ ଚାନ୍ନିଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରାଯିବା ଏକ ଲଜ୍ଜାଜନକ ଘଟଣା। ଚାନ୍ନି ମହିଳା ଆଇଏଏସ୍ ଅଫିସରଙ୍କୁ ଯେଉଁ ଭଳି ନିର୍ଯାତନା ଦେଇଥିଲେ, ସେଭଳି ଅନ୍ୟ ଜଣେ ମହିଳାଙ୍କ ସହ ଘଟୁ ବୋଲି ଆମେ ଚାହୁଁନାହୁଁ। ଚାନ୍ନି ଉତ୍ତରଦାୟୀ ହେବା ଆବଶ୍ୟକ ଓ ସେ ନିଜ ପଦରୁ ଇସ୍ତଫା ଦେବା ଉଚିତ।
ଉଲ୍ଲେଖଯୋଗ୍ୟ, ୨୦୧୮ରେ ମହିଳା ଆଇଏଏସ୍ ଅଧିକାରୀଙ୍କୁ ଧମକପୂର୍ଣ୍ଣ ମେସେଜ ପଠାଇଥିଲେ ଚାନ୍ନି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।