Categories: ଜାତୀୟ

ଜୁଲାଇ ୧୮ରେ ଭାଜପା ମେଣ୍ଟର ବୈଠକ

ନୂଆଦିଲ୍ଲୀ,୬।୭: ଦେଶରେ ହେବାକୁ ଯାଉଥିବା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି। ଏହାରି ଭିତରେ ସମସ୍ତ ବଡ ବଡ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡିଲେଣି। ବିରୋଧୀ ଦଳମାନେ ମଧ୍ୟ ଭାଜପା ବିରୋଧରେ ଏକାଠି ନିର୍ବାଚନରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଏକ ବଡ଼ ମିଳିତ ମଞ୍ଚ ଗଠନ କରିବାକୁ ଚେଷ୍ଟା କରୁଛନ୍ତି। ଭାଜପାରେ ମଧ୍ୟ ଏହାକୁ ନେଇ ବୈଠକ ଜାରି ରହିଛି। ଇତିମଧ୍ୟରେ ୧୮ଜୁଲାଇରେ ବର୍ତ୍ତମାନ ଏନଡିଏର ଏକ ବଡ ବୈଠକ ଡକାଯାଇଛି। ସୂଚନାନୁସାରେ, ଏହି ବୈଠକ ଦିଲ୍ଲୀର ଅଶୋକା ହୋଟେଲରେ ଅନୁଷ୍ଠିତ ହେବ।
ବୈଠକରେ ଦୀର୍ଘ ଦିନ ଧରି ଏନଡିଏ ଠାରୁ ଅଲଗା ରହି ଆସୁଥିବା ଅକାଳୀ ଦଳ ପକ୍ଷରୁ ସୁଖବୀର ସିଂ ବାଦଲ ଓ ଚିରାଗ ପାସୱାନ ସାମିଲ ହେବେ। ଏହି ବୈଠକରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ମଧ୍ୟ ଅଂଶଗ୍ରହଣ କରିପାରିବେ। ଏଥିରେ ଯୋଗଦେବାକୁ ସୁଖବୀର ବାଦଲ ଏବଂ ଚିରାଗ ପାସୱାନ ସମ୍ମତି ଦେଇଛନ୍ତି। କିଛି ନୂତନ ଦଳ ମଧ୍ୟ ଏନଡିଏ ବୈଠକରେ ଯୋଗ ଦେଇପାରନ୍ତି।
ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପାରେ ନିରନ୍ତର ବୈଠକ ଅନୁଷ୍ଠିତ ହେଉଛି। ଭାଜପାର ଶୀର୍ଷ ନେତୃତ୍ୱର ଅନେକ ରାଉଣ୍ଡ ବୈଠକ ପରେ ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀ ପରିଷଦର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର କ୍ୟାବିନେଟରେ ପୁନଃ ବଦଳିବାର ସମ୍ଭାବନାକୁ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ଭାଜପା ଚାରିଟି ରାଜ୍ୟରେ ରାଜ୍ୟ ସଭାପତିଙ୍କୁ ମଧ୍ୟ ବଦଳାଇଲା।

Share