Categories: ଜାତୀୟ

ହରିବଂଶଙ୍କୁ ଏନ୍‌ଡିଏର ସମର୍ଥନ

ନୂଆଦିଲ୍ଲୀ, ୧୦।୯(ପି.ଟି.): ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏନ୍‌ଡିଏ ଏବଂ ବିରୋଧି ମେଣ୍ଟ ମଧ୍ୟରେ ଏବେ ଅଙ୍କକଶା ଜୋର ଧରିଛି। ପୂର୍ବରୁ ରାଜ୍ୟ ସଭା ଉପାଧ୍ୟକ୍ଷ ଥିବା ହରିବଂଶ ନାରାୟଣ ସିଂଙ୍କୁ ଏଥର ପୁଣି ଏନ୍‌ଡିଏ ପ୍ରାର୍ଥୀ କରିଥିବାବେଳେ ବିରୋଧୀ ଗୋଷ୍ଠୀ ଡିଏମ୍‌କେର ରାଜ୍ୟ ସଭା ସଦସ୍ୟ ତିରୁଚି ଶିବାଙ୍କୁ ପ୍ରାର୍ଥୀ କରିଛି। ଆସନ୍ତା ୧୪ରୁ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ସେହିଦିନ ଅପରାହ୍ନରେ ଉପାଧ୍ୟକ୍ଷ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବଥର ଭଳି ଏଥର ମଧ୍ୟ ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ପ୍ରମୁଖ ଭୂମିକା ରହିବ। ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶଙ୍କ କାର୍ଯ୍ୟକାଳ ଗତ ଏପ୍ରିଲରୁ ଶେଷ ହେଲାଣି। ଜେଡିୟୁ ତାଙ୍କୁ ପ୍ରାର୍ଥୀ କରିବା ପରେ ଏନ୍‌ଡିଏ ଏହାକୁ ସମର୍ଥନ କରିଛି। ଅପରପକ୍ଷରେ ସମଭାବାପନ୍ନ ଦଳ ଭାବେ ଡିଏମ୍‌କେ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ଜଣାଇଛି। ଏପରିକି କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ ଏଥିପାଇଁ ୧୦ଟି ସମଭାବାପନ୍ନ ଦଳଙ୍କ ସହ ଆଲୋଚନା କରିଛନ୍ତି। ଏନ୍‌ସିପି, ଶିବସେନା, ସମାଜବାଦୀ ପାର୍ଟି ଓ ତୃଣମୂଳ କଂଗ୍ରେସ ସମେତ ବିଭିନ୍ନ ଦଳ ସହ ଆଜାଦ୍‌ ଆଲୋଚନା କରିଥିବା ଜଣାପଡ଼ିଛି। ଚଳିତଥର ଏନ୍‌ଡିଏ ସହଜ ସ୍ଥିତିରେ ଥିଲେ ମଧ୍ୟ ବିଜୟ ବ୍ୟବଧାନକୁ ଅଧିକ କରିବା ପାଇଁ ବିଜେଡି, ଟିଆର୍‌ଏସ୍‌ ଏବଂ ୱାଇଏସ୍‌ଆର କଂଗ୍ରେସ ସହ ଆଲୋଚନା ଜାରି ରଖିଥିବା ଜଣାପଡ଼ିଛି। ଉପାଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୧୧। ହରିବଂଶ ଗତ ନିର୍ବାଚନରେ ୧୨୫ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ଭାବେ ବି.କେ. ହରିପ୍ରସାଦ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।

Share