Categories: ଜାତୀୟ

ଏନ୍‌ଡିଏକୁ ୩୧୮ ଆସନ ମିଳିବ

ନୂଆଦିଲ୍ଲୀ,୩୧ା୭ : ଏବେ ଯଦି ଲୋକ ସଭା ନିର୍ବାଚନ ହୁଏ, ତେବେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ୩୧୮ ଆସନ ସହ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ କଂଗ୍ରେସ ନେତୃତାଧୀନ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ୧୭୫ ଆସନ ପାଇବ ବୋଲି ଇଣ୍ଡିଆ ଟିଭି-ସିଏନ୍‌ଏକ୍ସ ଜନମତ ସର୍ଭେରେ ଆକଳନ କରାଯାଇଛି। ଏହା ବ୍ୟତୀତ ଅନ୍ୟାନ୍ୟ ଆଞ୍ଚଳିକ ଦଳ ଓ ସ୍ବାଧୀନ ପ୍ରାର୍ଥୀ ୫୦ ଆସନ ପାଇପାରନ୍ତି। ଅନ୍ୟପକ୍ଷରେ ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପାର ଆସନ ସଂଖ୍ୟା ୩୦୩ରୁ ୨୯୦କୁ ହ୍ରାସ ପାଇବାକୁ ଥିବାବେଳେ କଂଗ୍ରେସ ଆସନ ସଂଖ୍ୟା ୫୨ରୁ ୬୬କୁ ବୃଦ୍ଧି ପାଇବ ବୋଲି ଜନମତ ସର୍ଭେରେ ପୂର୍ବାନୁମାନ କରାଯାଇଛି।
ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳର ଲୋକ ସଭା ଆସନ ସଂଖ୍ୟା ୧୨ରୁ ୧୩କୁ ବଢ଼ିବାକୁ ଥିବାବେଳେ ଭାଜପାକୁ ୮ ଆସନ ମିଳିବ। ରାଜ୍ୟରେ ଅନ୍ୟ କୌଣସି ଦଳ ଖାତା ଖୋଲିପାରିବେ ନାହିଁ ବୋଲି ଜନମତ ସର୍ଭେରେ କୁହାଯାଇଛି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଲୋକ ସଭାରେ ୨୨ ଆସନ ଥିବାବେଳେ ଏହା ୨୯ ଆସନକୁ ବୃଦ୍ଧି ପାଇବ। ଟିଏମ୍‌ସି ଲୋକ ସଭାରେ ତୃତୀୟ ବୃହତ୍‌ ଦଳ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଗତ ଥର ୨୨ ଆସନ ପାଇଥିବା ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଏଥର ୧୮ ଆସନକୁ ଖସି ଚତୁର୍ଥ ବୃହତ୍‌ ଦଳ ହେବ। ଉଦ୍ଧବ ଠାକ୍‌ରେଙ୍କ ଶିବସେନା (ୟୁବିଟି)ର ଆସନ ସଂଖ୍ୟା ୬ରୁ ୧୧କୁ ବୃଦ୍ଧି ପାଇବାକୁ ଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟିର ଲୋକ ସଭାରେ ଏବେ ଗୋଟିଏ ଆସନ ଥିବାବେଳେ ଏହା ୧୦କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାର ଆସନ ସଂଖ୍ୟା ୧୨ରୁ ୨କୁ ହ୍ରାସ ପାଇପାରେ।
ଏବେ ନିର୍ବାଚନ ହେଲେ ଉତ୍ତରପ୍ରଦେଶର ୮୦ ଆସନରୁ ଏନ୍‌ଡିଏକୁ ୭୩ ଆସନ ମିଳିପାରେ। ରାଜ୍ୟର ଅବଶିଷ୍ଟ ୭ ଆସନ ଇଣ୍ଡିଆ ମେଣ୍ଟକୁ ଯିବ ବୋଲି ଆକଳନ କରାଯାଇଛି। ଭାଜପା ଗୁଜରାଟର ସମସ୍ତ ୨୬ ଏବଂ ଉତ୍ତରାଖଣ୍ଡର ସମସ୍ତ ୫ ଆସନ ପୋଛିନେବ। କର୍ନାଟକରୁ ଇଣ୍ଡିଆ ମେଣ୍ଟକୁ ୭ ଏବଂ ଜେଏସଏସ୍‌କୁ ଗୋଟିଏ ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ଅନ୍ୟ ପକ୍ଷରେ ଇଣ୍ଡିଆ ମେଣ୍ଟ କେରଳର ସମସ୍ତ ୨୦ ଲୋକ ସଭା ଆସନ ଜିତିବାକୁ ଥିବାବେଳେ ପଶ୍ଚିମବଙ୍ଗରେ ଟିଏମ୍‌ସି ନେତୃତ୍ୱାଥୀନ ଇଣ୍ଡିଆ ମେଣ୍ଟ ୪୨ରୁ ୩୦ ଆସନ ଜିତିବ। ଅବଶିଷ୍ଟ ୧୨ ଆସନ ଏନ୍‌ଡିଏକୁ ଯିବ ବୋଲି ପୂର୍ବାନୁମାନ କରାଯାଇଛି।

Share