Categories: ଜାତୀୟ

ବିରୋଧୀଙ୍କୁ ଉପବାଚସ୍ପତି ପଦ ବି ଦେବନି ଏନଡିଏ, ଜଣାପଡିଲା କିଏ ହେବେ

ନୂଆଦିଲ୍ଲୀ,୨୮।୬: ୧୮ତମ ଲୋକ ସଭା ଅଧିବେଶନରେ ଓମ ବିର୍ଲାଙ୍କୁ ବାଚସ୍ପତି ଭାବେ ଚୟନ କରାଯାଇଛି। ଏବେ ସ୍ପିକର ପରେ ଡେପୁଟି ସ୍ପିକର କିଏ ହେବ ତା’ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ଲୋକ ସଭାରେ ଏହି ପଦ ଖାଲି ପଡିଥିଲା। କିନ୍ତୁ ଚଳିତ ନିର୍ବାଚନରେ ବିରୋଧୀ ଇଣ୍ଡିଆ ମେଣ୍ଟ ୨୦୧୯ ଠାରୁ ଚମତ୍କାର ପ୍ରଦର୍ଶନ କରିଛି। ଏହି କାରଣରୁ ଏବେ ସଦନରେ ବିରୋଧୀ ଉପବାଚସ୍ପତି ପ୍ରାର୍ଥୀ ଦେଇପାରିବେ। କିନ୍ତୁ ଏହାକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ବିରୋଧୀ ମେଣ୍ଟ ବାଚସ୍ପତି ନିର୍ବାଚନ ପୂର୍ବରୁ ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପଦଳରେ ଉପବାଚସ୍ପତି ପଦ ଦାବି କରିଥିଲା। କିନ୍ତୁ ସରକାର ନ ମାନିବାରୁ ବାଚସ୍ପତି ନିର୍ବାଚନ ହୋଇଥିଲା।

ଏହି ନିର୍ବାଚନରେ ବିରୋଧୀଙ୍କ ପକ୍ଷରୁ କେ ସୁରେଶ ଓ ସରକାରଙ୍କ ପକ୍ଷରୁ ଓମ ବିର୍ଲା ମୁହାଁମୁହିଁ ହୋଇଥିଲେ। ସବୁଠାରୁ ବଡ଼ କଥା ହେଉଛି ସଂଖ୍ୟା କମ୍‌ ଥାଇ ମଧ୍ୟ ବିରୋଧୀ ନିର୍ବାଚନକୁ ଓହ୍ଲାଇଥିଲେ। ଆଉ ବିର୍ଲା ଜିତିବା ପରେ ମଧ୍ୟ ବିରୋଧୀ ମତ ବିଭାଜନ ନେଇ ଚାପ ପକେଇ ନ ଥିଲେ।

କହିରଖୁଛୁ କି, ୧୭ତମ ଲୋକ ସଭାରେ ଉପବାଚସ୍ପତି ପଦ ଖାଲି ରହିଥିଲା। ୧୬ତମ ଲୋକ ସଭାରେ ଭାଜପା ସହଯୋଗୀ ଏଆଇଏଡିଏମକେର ଏମ ଥମ୍ବୁଦୁରହିଙ୍କୁ ଏହି ପଦ ମିଳିଥିଲା। କିନ୍ତୁ ଏବେ ବିରୋଧୀଙ୍କ ପାଖରେ ବହୁମତ ଥିବାରୁ ଡେପୁଟି ସ୍ପିକରକୁ ନେଇ ଦାବି ଜୋର ହେବାରେ ଲାଗିଛି। ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁସାରେ, ଏହି ପଦ ଭାଜପା ତା’ର ସହଯୋଗୀ ଦଳ କାହାକୁ ଦେଇପାରେ। ବିରୋଧୀଙ୍କ ଖାତାକୁ ଏହି ପଦ ନ ଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ବିଶେଷ କଥା ହେଉଛି ଯେତେବେଳେ ୟୁପିଏ ସରକାର ଥିଲା ସେତେବେଳେ ଉପବାଚସ୍ପତି ପଦ ଭାଜପା ନେତୃତ୍ୱାଧିନ ଏନଡିଏ ପାଖରେ ରହିଥିଲା।

Share