Categories: ଜାତୀୟ

ଭାରତରେ ୧୦.୧ କୋଟି ମଧୁମେହ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୬(ଆଇଏଏନ୍‌ଏସ୍‌): ଭାରତରେ ୩୧ କୋଟି ୫୦ ଲକ୍ଷ ଲୋକଙ୍କର ଉଚ୍ଚ ରକ୍ତଚାପ ରହିଥିବାବେଳେ ୧୦ କୋଟି ୧୦ ଲକ୍ଷ ଲୋକ ମଧୁମେହ ଆକ୍ରାନ୍ତ। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଦି ଲାନ୍‌ସେଟ୍‌ ଡାଇବେଟିସ୍‌ ଆଣ୍ଡ ଏଣ୍ଡୋକ୍ରିନୋଲୋଜିରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ଉକ୍ତ ଅଧ୍ୟୟନ ଅନୁଯାୟୀ ୧୩.୬ କୋଟି ଭାରତୀୟଙ୍କଠାରେ ପ୍ରାକ୍‌ ମଧୁମେହ ଦେଖାଦେଇଥିବାବେଳେ ୨୧.୩ କୋଟିଙ୍କଠାରେ ଉଚ୍ଚ କୋଲେଷ୍ଟରଲ, ୧୮.୫ କୋଟିଙ୍କଠାରେ ଉଚ୍ଚ ଏଲ୍‌ଡିଏଲ୍‌ କୋଲେଷ୍ଟରଲ ରହିଛି। ସେହିପରି ୨୫.୪ କୋଟିଙ୍କଠାରେ ସାଧାରଣ ମୋଟାପଣ ରହିଥିବାବେଳେ ୩୫.୧ କୋଟି ମେଦବହୁଳତାରେ ଆକ୍ରାନ୍ତ।
୨୦୦୮ରୁ ୨୦୨୦ ମଧ୍ୟରେ ସାରା ଦେଶରୁ ମୋଟ ୨୦ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ୧,୧୩,୦୪୩ ଜଣଙ୍କ ଉପରେ ଆଇସିଏମ୍‌ଆର୍‌- ଇଣ୍ଡିଆ ଡାଇବେଟିସ୍‌ (ଆଇସିଏମ୍‌ଆର-ଆଇଏନ୍‌ଡିଆଇଏବି) ଅଧ୍ୟୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୩,୫୩୭ ସହରାଞ୍ଚଳର ହୋଇଥିବାବେଳେ ୭୯,୫୦୬ ଜଣ ଗ୍ରାମାଞ୍ଚଳ ଲୋକ। ଭାରତରେ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ର ଦ୍ରୁତ ବୃଦ୍ଧି ଘଟୁଛି। ତେବେ ବିଭିନ୍ନ ଅଞ୍ଚଳରେ ଏହାର ପ୍ରସାରଣରେ ଭିନ୍ନତା ରହିଛି। ପ୍ରାକ୍‌ ମଧୁମେହ ବ୍ୟତୀତ ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ ଡାଇସ୍ଲିପିଡେମିଆ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଅଧିକ ବ୍ୟାପୁଛି। ନିମ୍ନ ମାନବୀୟ ବିକାଶ ସୂଚକାଙ୍କ ଥିବା ଅଧିକାଂଶ ରାଜ୍ୟରେ ଡାଇବେଟିସ୍‌ ଓ ପ୍ରିଡାଇବେଟିସ୍‌ ଅନୁପାତ ୧ରୁ କମ୍‌ ରହିଛି। ଅନ୍ୟ ରାଜ୍ୟ ତୁଳନାରେ କେରଳ, ପଣ୍ଡିଚେରି, ଗୋଆ, ସିକିମ୍‌ ଏବଂ ପଞ୍ଜାବରେ ଅଣସଂକ୍ରାମକ ରୋଗ ଅଧିକ ବ୍ୟାପୁଥିବା ଅଧ୍ୟୟନରୁ ଜଣାପଡ଼ିଛି। ଭାରତର ଦକ୍ଷିଣ ଓ ଉତ୍ତରାଞ୍ଚଳରେ ଅଧିକ ମଧୁମେହ ବ୍ୟାପୁଥିବା ଦେଖାଦେଇଛି। ସହରାଞ୍ଚଳରେ ଏହାର ମାତ୍ରା ଅଧିକ। କେନ୍ଦ୍ରୀୟ ଏବଂ ଉତ୍ତରପୂର୍ବାଞ୍ଚଳରେ ମହୁମେହ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହିଛି। କେନ୍ଦ୍ରୀୟ ଭାରତକୁ ବାଦ୍‌ ଦେଲେ ସାରା ଦେଶରେ ବିଶେଷକରି ସହରାଞ୍ଚଳରେ ଉକ୍ତ ରକ୍ତଚାପ ରୋଗୀଙ୍କ ସଂଖ୍ୟା ଅଧିକ।

Share