Categories: ଜାତୀୟ

ଶିକ୍ଷକଙ୍କୁ ଅପହରଣ କରି ନିଜ ଝିଅ ସହ ବିବାହ କରାଇଲେ

ପାଟନା,୧ା୧୨: ନିକଟରେ ଗୌତମ କୁମାର ବିହାର ଲୋକ ସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ବୁଧବାର ୩-୪ ଜଣ ବ୍ୟକ୍ତି ତାଙ୍କ ସ୍କୁଲରେ ପହଞ୍ଚି ଗୌତମଙ୍କୁ ଅପହରଣ କରି ନେଇଥିଲେ। ସେମାନେ ଏହାର ୨୪ ଘଣ୍ଟା ଭିତରେ ବନ୍ଧୁକ ଦେଖାଇ ଜଣେ ଅପହର୍ତ୍ତାଙ୍କ ଝିଅ ସହ ତାଙ୍କୁ ବିବାହ କରାଇଛନ୍ତି। ବିହାରର ‘ପକଡ୍‌ଓ୍ବା ବିବାହ’ ଇତିହାସରେ ଏହା ହେଉଛି ସଦ୍ୟ ଘଟଣା।
ପୋଲିସ ସୂଚନାନୁସାରେ ବୈଶାଳୀ ଜିଲାର ପଟେପୁରସ୍ଥିତ ରେପୁରା ଉତ୍କମିତ ମଧ୍ୟ ବିଦ୍ୟାଳୟରେ ନବନିଯୁକ୍ତ ଶିକ୍ଷକ ଗୌତମ ପାଠ ପଢ଼ାନ୍ତି। ବୁଧବାର ରାତିରେ ତାଙ୍କୁ ଅପହରଣ କରାଯାଇଥିଲା। ଏହାର ପ୍ରତିବାଦରେ ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ। ପୋଲିସ ନିଖୋଜ ଶିକ୍ଷକଙ୍କୁ ଠାବ କରିବା ପାଇଁ ତଲାସି ଆରମ୍ଭ କରିଥିଲା। ଅପହରଣ ପାଇଁ ପରିବାର ଲୋକେ ରାଜେଶ ରାଏ ନାମକ ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି। ରାଜେଶଙ୍କ ଝିଅ ଚାନ୍ଦନୀଙ୍କ ସହ ଗୌମତଙ୍କୁ ଜବରଦସ୍ତ ବିବାହ କରାଯାଇଥିବା ସେମାନେ ଅଭିଯୋଗ ଆଣିଛନ୍ତି।

Share