ନୂଆଦିଲ୍ଲୀ,୧୯।୧୦: ଆସନ୍ତା ୨୪ ତାରିଖରେ ଚଳିତ ଟି୨୦ ବିଶ୍ୱକପ୍ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ପରିସ୍ଥିତି କାରଣରୁ ମ୍ୟାଚ୍କୁ ବାତିଲ କରାଯାଉ ବୋଲି ଅନେକ ରାଜନେତାଦାବି କରୁଛନ୍ତି। କିନ୍ତୁ ଏହି ମହା ମୁକାବିଲା ସପକ୍ଷରେ ଅଛନ୍ତି ଭାରତୀୟ କିମ୍ବଦନ୍ତୀ ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋଣ।
“ମୋ ମତରେ ଖେଳକୁ ରାଜନୀତି ସହ ମିଶାଇବା ଉଚିତ ନୁହେଁ। ଏହା ଜାରି ରହିବା ଉଚିତ। ଏହା ମୋ ବ୍ୟକ୍ତିଗତ ମତ। ମ୍ୟାଚ୍ ହେଉ କି ନ ହେଉ, ଏହା ଉପରେ କମେଣ୍ଟ କରିବା ପାଇଁ ମୁଁ କୌଣସି ଅଧିକାରୀ ନୁହେଁ। ଯଦି ମୋଠାରୁ ମତାମତ ମଗାଯାଏ, ତେବେ ମ୍ୟାଚ୍ ଖେଳାଯିବା ଉଚିତ। ସେମାନେ ପୂର୍ବରୁ ବହୁବାର ପରସ୍ପର ସହ ଖେଳିଛନ୍ତି। ଏଥର ମଧ୍ୟ କିଛି ଭିନ୍ନ ନୁହେଁ” ବୋଲି ପାଦୁକୋଣ କହିଛନ୍ତି।