ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ

ଲଣ୍ଡନ,୧୫।୬: ମଧ୍ୟ ଇଂଲଣ୍ଡର ନେଟିଂଘମରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଭାରତୀୟ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ସେ ନଟିଘଂମ ବିଶ୍ୱବିଦ୍ୟାଳୟର ଛାତ୍ରୀ ଏବଂ ଜଣେ ଦକ୍ଷ ହକି ଖେଳାଳି ଥିଲେ। ସେ ଇଂଲଣ୍ଡ ଅଣ୍ଡର-୧୮ ହକି ଦଳ ପାଇଁ ଖେଳିଛନ୍ତି ଏଥିସହ ସେ ଜଣେ କ୍ରିକେଟର ମଧ୍ୟ ଥିଲେ। ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତ ଭାରତୀୟ ଛାତ୍ରୀ ଜଣକ ହେଲେ ଗ୍ରେସି ଓମାଲେ କୁମାର(୧୯)। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସେ ଲଣ୍ଡନରେ ରହୁଥିବା ଭାରତୀୟ ମୂଳ ଅଧିବାସୀ ଡାକ୍ତର ସଞ୍ଜୟ କୁମାରଙ୍କ ଝିଅ।

ଆକ୍ରମଣ ସମୟରେ ସେ ନଟିଂଘମ ବିଶ୍ୱବିଦ୍ୟାଳୟର ସହପାଠୀ ତଥା କ୍ରିକେଟର ବନ୍ଧୁ ବର୍ଣ୍ଣାବି ୱେବରଙ୍କ ସହ ଥିଲେ। ସେହି ସମୟରେ ଆକ୍ରମଣକାରୀମାନେ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଉଭୟଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ପରିଚୟ ଜଣାପଡିନାହିଁ।
ଏନେଇ ନଟିଘଂମର ପୋଲିସ କହିଛି ଯେ, ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଉପରିସ୍ଥ ଅଧିକାରୀଙ୍କ ଏକ ଟିମ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। ଏହି ମାମଲାର ପ୍ରମାଣ ସଂଗ୍ରହ କରାଯାଉଛି। ଇଂଲଣ୍ଡ ହକି ଟିମ୍‌ ଏନେଇ ଦୁଃଖ ପ୍ରକାଶ କରିଛି।

Share