ନୂଆଦିଲ୍ଲୀ,୮ା୧: ଉତ୍ତରାଖଣ୍ଡ ଜୋଷୀମଠରେ ଦେଖାଦେଇଥିବା ସଙ୍କଟର ମୁକାବିଲା ପାଇଁ ରବିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ସମସ୍ୟାର ସମାଧାନ ପାଇଁ ଯୋଜନା ପ୍ରଣୟନ କରି ରିପୋର୍ଟ ଦେବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ସୁଖବୀର ସିଂ ସାନ୍ଧୁ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ଏପରିକି ଚମୋଲି ଜିଲାପାଳଙ୍କ କାର୍ଯ୍ୟାଳୟରୁ ଅନ୍ୟ ଅଧିକାରୀମାନେ ଭିଡିଓ କନ୍ଫରେନ୍ସ ଜରିଆରେ ସାମିଲ ହୋଇଥିଲେ।
ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍ଡିଆର୍ଏଫ୍)ର ଗୋଟିଏ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍ଡିଆର୍ଏଫ୍)ର ୪ ଟିମ୍କୁ ପ୍ରଭାବିତ ଅଞ୍ଚଳକୁ ଉଦ୍ଧାର ଏବଂ ଥଇଥାନ ପାଇଁ ପଠାଯାଇଛି। ସେହିପରି ଜାତୀୟ ବିପର୍ଯ୍ୟୟ ମୁକାବିଲା କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ) ଟିମ୍କୁ ସୋମବାର ସ୍ଥିତି ସମୀକ୍ଷା ପାଇଁ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରିବାକୁ କୁହାଯାଇଛି। ସ୍ଥିତି ସମୀକ୍ଷା ପରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।