ଏନ୍‌ଡିଟିଭି: ଚିନ୍ତାରେ ବିଦେଶୀ ଗଣମାଧ୍ୟମ

ଓ୍ବାଶିଂଟନ: ଏସିଆର ଧନିକ ବ୍ୟବସାୟୀ ଗୌତମ ଆଦାନୀ ଏନ୍‌ଡିଟିଭି (ନ୍ୟୁ ଦିଲ୍ଲୀ ଟେଲିଭିଜନ୍‌)ର ୨୯ ପ୍ରତିଶତ ଅଂଶଧନ କିଣିବାକୁ ଯାଉଥିବା ଖବର ବର୍ତ୍ତମାନ ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି। ବିଦେଶୀ ମିଡିଆ ସଂସ୍ଥାସବୁ ଭାରତୀୟ ଗଣମାଧ୍ୟମ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ଖାଲି ଭାରତ ନୁହେଁ ବିଭିନ୍ନ ବୈଦେଶିକ ଗଣମାଧ୍ୟମ ଏବେ ବିଲିୟନେୟାର ବ୍ୟବସାୟୀଙ୍କ କବଳରେ। ଆମାଜନ୍‌ ମାଲିକ ଜେଫ୍‌ ବେଜୋସ୍‌ ଆମେରିକାର ଆଗଧାଡ଼ି ଗଣମାଧ୍ୟମ ସଂସ୍ଥା ଓ୍ବାଶିଂଟନ୍‌ ପୋଷ୍ଟର ମାଲିକ ଅଟନ୍ତି। ଆଦାନୀ ଘରୋଇ ଟିଭି ଚ୍ୟାନେଲ୍‌ର ଅଂଶଧନ କିଣିବା ଭାରତୀୟ ଗଣମାଧ୍ୟମ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ହେଡିଂ ଦେଇଥିଲା ଓ୍ବାଶିଂଟନ୍‌ ପୋଷ୍ଟ।
ଖାଲି ଓ୍ବାଶିଂଟନ ପୋଷ୍ଟ ନୁହେଁ ବରଂ ଦ ଗାର୍ଡିଆନ୍‌ ଭଳି ବୈଦେଶିକ ଗଣମାଧ୍ୟମ ଏପ୍ରକାର ଖବର ପ୍ରକାଶନ କରିଛନ୍ତି। ଭାରତୀୟ ଟିଭି ଚ୍ୟାନେଲ୍‌କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଏ ପ୍ରକାର ଆଲୋଚନା ହେବା ବିରଳ। ସାରା ବିଶ୍ୱ ଆଦାନୀ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ବାବଦରେ ଜାଣିଛନ୍ତି। କିନ୍ତୁ ମୋଦି ସରକାର ଓ ଏନ୍‌ଡିଟିଭି ମଧ୍ୟରେ ଥିବା ତିକ୍ତପୂର୍ଣ୍ଣ ସମ୍ପର୍କ କାହାରିକୁ ଅଛପା ନାହିଁ। ମୋଦି ସରକାରଙ୍କ ନୀତିକୁ ସବୁବେଳେ ସମାଲୋଚନା କରୁଥିବା ଏହି ଘରୋଇ ଟିଭି ଚ୍ୟାନେଲରେ ମୋଦିଙ୍କ ମିତ୍ରଙ୍କ ହସ୍ତକ୍ଷେପ ହୁଏତ ଖବରର ମାନକୁ ବଦଳାଇଦେବ ବୋଲି ଗଣମାଧ୍ୟମ ସଂସ୍ଥା ଆକଳନ କରିଛନ୍ତି। ଯେଉଁଥି ପାଇଁ ଏହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ଆଦାନୀ ଏନ୍‌ଡିଟିଭିର ଅଂଶଧନ କିଣିବା ନେଇ ଚ୍ୟାନେଲର ସଂସ୍ଥାପକ ରାଧିକା ଏବଂ ପ୍ରଣୟ ରାୟ ଜାଣି ନ ଥିବା କହିଛନ୍ତି। ଏଭଳି ସ୍ଥିତିରେ ଆଦାନୀ ଗ୍ରୁପ୍‌ ଏହି ଚ୍ୟାନେଲର ଆଉ ୨୬ % ଅଂଶଧନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି।
କଂଗ୍ରେସ ଶାସନ କାଳରେ ଏହି ଘରୋଇ ଗଣମାଧ୍ୟମ ଚ୍ୟାନେଲ ମିଛ ଖବର ପ୍ରସାରଣ କରିବା ସହ ବିଭିନ୍ନ ପାକିସ୍ତାନୀ ସଂଗଠନର ସମର୍ଥନରେ ଏହି ଚ୍ୟାନେଲ ଉଭା ହୋଇଥିବା ଆଉ କିଛି ବିଦେଶୀ ଗଣମାଧ୍ୟମ ଦାବି କରିଛନ୍ତି। ଶ୍ରୀଲଙ୍କାରେ ଏବେ ସଙ୍କଟାପନ୍ନ ସ୍ଥିତି ଜାରି ଥିବାବେଳେ ପ୍ରଧାନମନ୍ତ୍ରୀ ରାଜପାକ୍ସେଙ୍କୁ ଶ୍ରୀଲଙ୍କା ଛାଡ଼ି ଯିବାରେ ଭାରତ ପ୍ରାଇଭେଟ୍‌ ଜେଟ୍‌ ପଠାଇଥିବା ଖବର ଏନ୍‌ଡିଟିଭିରେ ପ୍ରକାଶ ପାଇଥିଲା। କିନ୍ତୁ କିଛି ସମୟ ପରେ ଚ୍ୟାନେଲ ଏହି ଖବରଟିକୁ ଡିଲିଟ୍‌ କରି ଦେଇଥିବା କଥା ଚର୍ଚ୍ଚା ହୋଇଥିଲା।

Share