Categories: ଜାତୀୟ

ଆଦାନୀଙ୍କ ନିୟନ୍ତ୍ରଣକୁ ଗଲା ଏନ୍‌ଡିଟିଭି

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ଏସିଆ ମହାଦେଶର ସବୁଠୁ ଧନୀ ଭାବେ ଜଣାଶୁଣା ବିଶିଷ୍ଟ ବ୍ୟବସାୟୀ ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ଗ୍ରୁପ୍‌ ଶୁକ୍ରବାର ନିଉଦିଲ୍ଲୀ ଟେଲିଭିଜନ ଲିମିଟେଡ (ଏନ୍‌ଡିଟିଭି)କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଛି। ଏନ୍‌ଡିଟିଭିର ପ୍ରତିଷ୍ଠାତା ପ୍ରଣୟ ରାୟ ଓ ରାଧିକା ରାୟଙ୍କ ଅଧିକାଂଶ ଅଂଶଧନକୁ ୧୭ ପ୍ରତିଶତ ଅଧିକ ଦରରେ ସଂସ୍ଥାର କ୍ଷୁଦ୍ର ଅଂଶୀଦାରମାନଙ୍କଠାରୁ ଆଦାନୀ ଗ୍ରୁପ୍‌ କିଣିନେଇଛି। ଫଳରେ ଆଦାନୀ ଗ୍ରୁପ୍‌ ପାଖରେ ଏବେ ଏନ୍‌ଡିଟିଭିର ୬୪.୭୧ ପ୍ରତିଶତ ଅଂଶଧନ ରହିଛି। ମାଲିକାନା ପରିବର୍ତ୍ତନ ହେବା ପରେ ରାୟ ଦମ୍ପତି ଏବଂ ଏନ୍‌ଡିଟିଭିର ଅନ୍ୟ ୪ ଜଣ ନିର୍ଦ୍ଦେଶକ ଇସ୍ତଫା ଦେଇଛନ୍ତି। ପ୍ରଣୟ ଏବଂ ରାଧିକା ରାୟ ଏନ୍‌ଡିଟିଭିର କାର୍ଯ୍ୟନିର୍ବାହୀ ସହଅଧ୍ୟକ୍ଷ ଥିଲେ। ଇସ୍ତଫା ଦେଇଥିବା ଅନ୍ୟ ନିର୍ଦ୍ଦେଶକମାନେ ହେଲେ ଡାରିଅସ୍‌ ତାରାପୋର୍ଭେଲା, କୌଶିକ ଦତ୍ତ, ଇନ୍ଦ୍ରାଣୀ ରାୟ ଏବଂ ଜନ୍‌ ମାର୍ଟିନ୍‌ ଓ’ଲୋନ୍‌। ଅମନ କୁମାର ସିଂଙ୍କୁ ଏନ୍‌ଡିଟିଭିର ଅଣକାର୍ଯ୍ୟନିର୍ବାହୀ ଅତିରିକ୍ତ ନିର୍ଦ୍ଦେଶକ ଏବଂ ସୁନୀଲ କୁମାରଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତିକୁ ଏହାର ବୋର୍ଡ ଅନୁମୋଦନ କରିଛି।

Share