ନିଆଳ ହାଟ ସଂଯୋଗୀକରଣ ରାସ୍ତା ମରାମତି ଦାବି

ଆଳି,୧୯ା୧୦(ଡି.ଏନ.ଏ.): ନିଆଳ ହାଟରୁ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଦୀର୍ଘଦିନ ହେବ ରାସ୍ତା ଅବସ୍ଥା ଶୋଚନୀୟ ଥିବାବେଳେ ବିଭାଗ ପକ୍ଷରୁ ମରାମତି କରାଯାଉନାହିଁ। ତେଣୁ ଏହାକୁ ମରାମତି ନିମନ୍ତେ ସାଧାରଣରେ ଦାବି ହୋଇଛି। ସୂଚନା ଯୋଗ୍ୟ, ଆଳି ବ୍ଲକ ନିଆଳ ଗ୍ରାମର ନିଆଳ ହାଟରୁ କଟକ -ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଯାତାୟାତ ନିମନ୍ତେ ନିର୍ମାଣ ହୋଇଥିବା ରାସ୍ତାଟି ଏବେ ଜରାଜୀର୍ଣ୍ଣ ହୋଇପଡିଛି। ନିଆଳ ଗ୍ରାମବାସୀଙ୍କ ସମେତ ଶତାଧିକ ଲୋକ ଏହି ରାସ୍ତା ଦେଇ ମୁଖ୍ୟ ରାସ୍ତାକୁ ଯାତାୟାତ କରିଥାନ୍ତି। ପ୍ରତ୍ୟେକ ମଙ୍ଗଳବାର ଓ ଶୁକ୍ରବାର ନିଆଳ ହାଟ ହେଉଥିବାରୁ ଶତାଧିକ ବ୍ୟବସାୟୀଙ୍କ ସମେତ ହଜାର ହଜାର ଖାଉଟି ହାଟକୁ ଏହି ରାସ୍ତାରେ ଆସିଥାନ୍ତି। ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାରୁ ଯାତାୟାତ କରିବା ଅସମ୍ଭବ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ସେହି ସ୍ଥାନରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଲୋକମାନେ ପାଣିରେ ପଶି ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।

Share