ରାସ୍ତା ଉପରେ କାଟିଦେଲେ ଦିନମଜୁରିଆଙ୍କ ତଣ୍ଟି

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବଙ୍ଗଳାପଡାର ଦ୍ୱାରିକା ରାତ୍ରେ(୨୬)। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ସ୍ଥାସ୍ତାନ୍ତର କରିଛି। ଘଟଣାରେ ସମ୍ପୃକ୍ତ ଯୁବକ ଫେରାର ଥିବା ପୋଲିସ କହିଛି।
ସୂଚନା ଅନୁସାରେ, ଦ୍ୱାରିକା ବିବାହିତ ଓ ସେ ଦିନମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ରବିବାର କାମରୁ ଫେରିବା ସମୟରେ ସେ ପଡାରେ ଥିବା ଏକ ପାନ ଦୋକାନ ପାଖରେ ଅଟକିଥିଲେ। ସେଠାରେ କୌଣସି କାରଣକୁ ନେଇ ସମ୍ପୃକ୍ତ ଯୁବକଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ପରେ ଦ୍ୱାରିକା ନିଜ ଘରକୁ ଯାଉଥିଲେ। ଏହି ସମୟରେ ଯୁବକ ଜଣକ ପଛରୁ ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକୁ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ଦ୍ୱାରିକା ଘରକୁ ଯାଇଥିଲେ। ସେଠାରେ ଅଭିଯୁକ୍ତଙ୍କ ନାମ ଧରି ମାରିଦେଲା ବୋଲି କହି ତଳେ ପଡିଯାଇଥିଲେ। ପରିବାର ବର୍ଗ ତାଙ୍କୁ ଜିଲା ସଦର ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ସୋମବାର ପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପଡାବାସୀ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ କରିବାକୁ ବାହାରିଥିଲେ। ପରେ ପୋଲିସ ଓ ସ୍ଥାନୀୟ କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

Share