ପାକିସ୍ତାନକୁ ୧୦ କୋଟି ଆମେରିକି ଡଲାର ସହାୟତା ଦେବ ଆମେରିକା

ୱାଶିଂଟନ,୧୦ ।୧: ପାକିସ୍ତାନରେ ଗତ ବର୍ଷ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଓ ପୁନନିର୍ମାଣ ପାଇଁ ଆମେରିକା ଅତିରିକ୍ତ ୧୦୦ ମିଲିୟନ(୧୦କୋଟି) ଆମେରିକୀୟ ଡଲାର ଦେବାକୁ ଘୋଷଣା କରିଛି । ଆମେରିକା ମୋଟ ୨୦୦ ମିଲିୟନ ଆମେରିକି ଡଲାର ଦେବ । ଆମେରିକା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ ଏହି ସୂଚନା ଦେଇଛନ୍ତି ।
ସୋମବାର(ସ୍ଥାନୀୟ ସମୟ ଅନୁସାରେ) ଏକ ପ୍ରେସ ବାର୍ତ୍ତାକୁ ସମ୍ବୋଧନ କରିବା ବେଳେ ନେଡ ପ୍ରାଇସ କହିଛନ୍ତି ନୂଆ ଆର୍ଥିକ ସହାୟତାର ଉପଯୋଗ ବନ୍ୟାର ସୁରକ୍ଷା ଓ ରୋଗ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯିବ । ଏହି ଆର୍ଥିକ ସହାୟତାରେ ମନିଟରିଂ, ଆର୍ଥିକ ବିକାଶ, ସ୍ୱଚ୍ଛ ଶକ୍ତି, ଜଳବାୟୁ ସ୍ମାର୍ଟ କୃଷି, ଖାଦ୍ୟ ନିରାପତ୍ତା ଏବଂ ଭିତ୍ତିଭୂମି ପୁନନିର୍ମାଣ ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି । ଏହାସହ ଶରଣାର୍ଥୀ-ଆୟୋଜକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର ଉଦ୍ୟମକୁ ସହାୟତା କରିବାକୁ ମାନବିକ ସହାୟତା ଅନ୍ତର୍ଭୁକ୍ତ ।
ନେଡ ପ୍ରାଇସ କହିଛନ୍ତି, ମୋତେ ଖୁସି ଲାଗୁଛି ଯେ ଆଜି ଆମେରିକା ରିକଭରି ଓ ପୁନନିର୍ମାଣ ପାଇଁ ଅତିରିକ୍ତ ୧୦୦ ମିଲିୟନ ଆମେରିକୀୟ ଡଲାର ଦେବାକୁ ଘୋଷଣା କରିଛି । ଏଥିରେ ଆମର ମୋଟ ଯୋଗଦାନ ୨୦୦ ମିଲିୟନ ଆମେରିକି ଡଲାରରୁ ଅଧିକ ହେବ ।

Share