ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ ସଭାରେ ଯୋଗଦେଇ ନିର୍ବାଚନୀ ବିଗୁଲ ବଜାଇଛନ୍ତି। ସକାଳେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସେ ନୂଆପଡ଼ା ଆସି ଖରିଆର ରୋଡ ଜୋଙ୍କ ନଦୀ କୂଳରେ ଥିବା ଶଙ୍କର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ଯାଇ ନୂଆପଡ଼ା ମିନି ଷ୍ଟାଡିୟମଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଏମ୍‌ପି ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ପାଇଁ ପ୍ରଚାର କରିଥିଲେ ା ଆମକୁ ଡବଲ ଇଞ୍ଜିନ ଦରକାର ନାହିଁ, ଯୋଡି ଶଙ୍ଖ ଦରକାର। ଯେଉଁଠାରେ ଡବଲ ଇଞ୍ଜିନ ରହିଥିଲା ତାହା ଛିଣ୍ଡିଯାଇଛି ବୋଲି କହିଥିଲେ।
ସେ କହିଥିଲେ, ୬ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋତେ ନୂଆପଡ଼ା ଜିଲାରେ ରହିଥିବା ସମସ୍ୟା ବୁଝିବା ପାଇଁ ପଠାଇଥିଲେ। ମୁଁ ଆସିଥିବା ସମୟରେ ବିଭିନ୍ନ ସମସ୍ୟା ଉପରେ ଲୋକେ ୭ ଶହରୁ ଊର୍ଦ୍ଧ୍ୱ ଦରଖାସ୍ତ ଦେଇଥିଲେ। ସେଥିରୁ ୩୫୦ ଦରଖାସ୍ତର ସମାଧାନ ହୋଇସାରିଛି। ବାକି ଦରଖାସ୍ତ ଗୁଡିକର ମୁଖ୍ୟମନ୍ତ୍ରୀ ସମାଧାନ କରିବେ। ନୂଆପଡ଼ା ଜିଲାକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଏକଶହ ୩୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ନୂଆପଡ଼ା ବ୍ଲକର ଭାଲେଶ୍ୱର ଓ କୋମନା ବ୍ଲକର କୋନାବିରାଠାରେ ମେଗା ପ୍ରକଳ୍ପ, ୫ଟି ବ୍ଲକରେ ନୂଆ ବସ୍‌ଷ୍ଟାଣ୍ଡ, ଗ୍ରାମାଞ୍ଚଳରେ ଦୁଇ ଲାଇନ ରାସ୍ତା, ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟର ଉନ୍ନତୀକରଣ, ଦେବଦେବୀ ମନ୍ଦିର ଉନ୍ନତୀକରଣ କାରାଯାଇଛି। ୨୪ବର୍ଷ ଶାସନରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ବିକାଶ କରିସାରିଲେଣି। ବିଜୁ ଜନତା ଦଳ ପୁଣି କ୍ଷମତାକୁ ଆସିଲେ କୌଣସି ସମସ୍ୟା ରହିବ ନାହିଁ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାରଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share