୧୭ ବର୍ଷ ପରେ ଅବସର ନେଇ ଫେରିଲେ ସେନା, ହାତ ପାପୁଲି ରଖି ସ୍ୱାଗତ କଲେ ଗାଁଲୋକେ

ଭୋପାଳ,୫ ।୨: ଦେଶର ସୀମାରେ ଜାଗ୍ରତ ପ୍ରହରି ସାଜି ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଯୋଗାଇଥାଆନ୍ତି ବୀର ଯବାନ । ଏମାନଙ୍କ ଦେଶଭକ୍ତି ଆଗରେ ସମସ୍ତ ଦେଶବାସୀଙ୍କ ମୁଣ୍ଡ ଆପଣାଛାଏଁ ନଇଁ ଯାଇଥାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ନିମଚ ଜିଲାର ଜିରନ ଗାଁରେ । ଯେତେବେଳେ ଜଣେ ଯବାନ ଦୀର୍ଘ ୧୭ ବର୍ଷ ପରେ ସେନାରୁ ଅବସର ନେଇ ଗାଁରେ ପହଞ୍ଚିଲେ ସେତେବେଳେ ଗାଁଲୋକେ ତାଙ୍କ ପାଦ ମାଟିରେ ପଡିବାକୁ ଦେଲେ ନାହିଁ । ବରଂ ନିଜ ନିଜର ହାତ ପାପୁଲି ରଖି ତାଙ୍କୁ ଗାଁ ଭିତରକୁ ସ୍ୱାଗତ କଲେ । ଯବାନ ବିଜୟ ବି ସିଂ ଏଭଳି ସ୍ୱାଗତ ପାଇବା ପରେ ନିଜକୁ ଗର୍ବି ଅନୁଭବ କରିଥିବା ପ୍ରକାଶ କରିଛନ୍ତି । ସେ ୨୦୦୪ ଜନୁୟାରୀ ୩ରେ ସେନାରେ ଯୋଗ ଦେଇଥିଲେ । ସେ ବେଙ୍ଗାଲୁରୁରେ ପ୍ରଶିକ୍ଷଣ ନେବା ପରେ ଜମ୍ମୁ-କଶ୍ମୀର, କାରଗିଲ, ଲେହ ଲଦ୍ଦାଖ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଜୟପୁର ଓ ବିକାନେରରେ କାର୍ଯ୍ୟ କରିଛନ୍ତି । ଏବେ ସେ ଅବସର ନେଇ ଗାଁର ଯେଉଁ ଯୁବକମାନେ ସେନାରେ ଯିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସେମାନଙ୍କୁ ସେ ଟ୍ରେନିଂ ବା ପ୍ରଶିକ୍ଷଣ ଦେବେ ବୋଲି କହଛନ୍ତି ।

Share