ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ବହୁ ଦିନର ସ୍ବପ୍ନ ଏବେ ପୂରା ହେବାକୁ ଯାଉଛି। ‘ବଧାଇ ହୋ’ କିମ୍ବା ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଭଳି ଫିଲ୍ମ ଗୁଡ଼ିକରେ ନିଜ ଅଭିନୟର ଯାଦୁ ଦେଖାଇସାରିଛନ୍ତି ନୀନା। ହେଲେ ଏବେ ଶୁଣିବାକୁ ମିଳିଛି, ସେ ପ୍ରଥମ ଥର ପାଇଁ ବଲିଉଡ୍ ବିଗ ବି ଅମିତାଭ ବଚ୍ଚନଙ୍କ ସହ ସିଲଭର ସ୍କ୍ରିନ୍ ଶେୟାର କରିବେ। ଆଜ୍ଞା ହଁ, ନୀନା ଫିଲ୍ମ ‘ଗୁଡବାୟ’ର ଟିମ୍ରେ ସାମିଲ ହୋଇସାରିଛନ୍ତି। ଖୁବଶୀଘ୍ର ତାଙ୍କୁ ଅମିତାଭ ବଚ୍ଚନ ଓ ସାଉଥ୍ ସେନ୍ସେସନ୍ ରଶ୍ମିକା ମନ୍ଦାନାଙ୍କ ସହ ଦେଖିବାକୁ ମିଳିବ। ଏହି ଫିଲ୍ମରେ ନୀନା ଅମିତାଭଙ୍କ ପତ୍ନୀ ଚରିତ୍ରରେ ଅଭିନୟ କରିବେ। ଏହି ଫିଲ୍ମ ପାଇଁ ସେ ବେଶ୍ ଉତ୍ସାହିତ ଅଛନ୍ତି। କେବଳ ସେତିକି ନୁହେଁ, ପ୍ରଥମ ଥର ଅମିତାଭଙ୍କ ସହ କାମ କରିବା ଏକପ୍ରକାର ସ୍ବପ୍ନ ସାକାର ହେଲା ବୋଲି ନୀନା କହିଛନ୍ତି।