Categories: ଖେଳ

ଫାଇନାଲ୍‌ରେ ସ୍ଥାନ ପକ୍କାକଲେ ନୀରଜ, ପ୍ରଥମ ଥ୍ରୋରେ ବଡ଼ ସଫଳତା

ନୂଆଦିଲ୍ଲୀ, ୦୬।୦୮: ଟୋକିଓ ଅଲମ୍ପିକ୍ସରେ ସ଼୍ବର୍ଣ୍ଣ ବିଜେତା ତଥା ଭାରତୀୟ ଜାଭେଲିନ୍‌ ଷ୍ଟାର ନୀରଜ ଚୋପ୍ରାଙ୍କୁ ବଡ଼ ସଫଳତା ମିଳିଛି । ପ୍ୟାରିସ୍‌ ଅଲମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାରୁ ହିଁ ତାଙ୍କୁ ଫାଇନାଲ୍‌ରେ ସ୍ଥାନ ମିଳିଛି । ପ୍ରଥମ ରାଉଣ୍ଡରେ ସେ ୮୯.୩୪ ମିଟର ଜାଭେଲିନ୍‌ ଫିଙ୍ଗି ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି । ନୀରଜଙ୍କ ସହିତ ଥିବା କିଶୋର ଜେନାଙ୍କୁ କିନ୍ତୁ ବିଫଳତା ମିଳିଛି । ଫାଇନାଲ୍‌ରେ ପହଞ୍ଚିବାରେ ତାଙ୍କର ପ୍ରୟାସ ବିଫଳ ହୋଇଛି । ଦୁଇ କ୍ରୀଡ଼ାବିତ୍‌ଙ୍କୁ ଅଲଗା ଅଲଗା ଗ୍ରୁପ୍‌ରେ ରଖାଯାଇଛି । ପ୍ରଥମ ୧୬ ଜଣିଆ ଗ୍ରୁପ୍‌ରେ କିଶୋର ସାମିଲ୍‌ ଅଛନ୍ତି । କିଶୋରଙ୍କ ବିଫଳତା ପରେ ଏବେ ସମସ୍ତଙ୍କ ନଜର ନୀରଜଙ୍କ ଉପରେ ରହିଛି । ନୀରଜ ପୁଣିଥରେ ଗୋଲ୍ଡ ଆଣିବେ ବୋଲି ଭାରତୀୟ ଆଶା ରଖିଛନ୍ତି ।

ଦ଼୍ବିତୀୟ ଗ୍ରୁପ୍‌ରେ ରହିଥିବା କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସବୁଠାରୁ ଅଧିକ ମିଟର ଜାଭେଲିନ୍‌ ଫିଙ୍ଗି ନୀରଜ ଆଗରେ ରହିଛନ୍ତି । ଅଲିମ୍ପିକ୍ସର ୧୧ତମ ଦିନରେ ଜାଭେଲିନ୍‌ ଥ୍ରୋରେ ଭାରତର ଦୁଇ କ୍ରୀଡ଼ାବିତ୍‌ ଭାଗ ନେଇଛନ୍ତି । ପ୍ରଥମ ଗ୍ରୁପ୍‌ରେ ଭାରତକୁ ସଫଳତା ମିଳିନଥିବା ବେଳେ ଦ଼୍ବିତୀୟ ଗ୍ରୁପ୍‌ରେ ନୀରଜ ସିଧା ଫାଇନାଲ୍‌କୁ ପ୍ରବେଶ କରିଛନ୍ତି ।

Share