ନୂଆଦିଲ୍ଲୀ,୯।୯: ଜୁରିଚରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ଇତିହାସ ରଚିଥିଲେ ନୀରଜ ଚୋପ୍ରା। ହେଲେ ଏହା ପରେ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା କାରଣ ଚର୍ଚ୍ଚାରେ ରହିଛି। ଏଥିଯୋଗୁ ସେ ଆଗାମୀ ଜାତୀୟ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ।
ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧୨ ଯାଏ ଗୁଜରାଟର ବିଭିନ୍ନ ସହରରେ ଆୟୋଜିତ ହେବାକୁ ଥିବା ଜାତୀୟ ଗେମ୍ସରେ ଅଂଶଗ୍ରହଣ କରିବାକୁ ନେଇ ତାଙ୍କୁ ପଚରାଯାଇଥିଲା। ଏହାର ଉତ୍ତର ଦେଇ ନୀରଜ କହିଥିଲେ, ଜାତୀୟ ଗେମ୍ସ ପାଖେଇ ଆସୁଛି। ହେଲେ ପିଠିରେ ଆଘାତ ସମସ୍ୟାରୁ ଧିରେ ଧିରେ ସୁସ୍ଥ ହେଉଛି। ଗୋଟିଏ କିମ୍ବା ଦୁଇ ସପ୍ତାହ ଯାଏ ଟ୍ରେନିଂ ନେବାକୁ ସମର୍ଥ ହେବି ନାହିଁ। ତେଣୁ ଆସନ୍ତା ବର୍ଷ ଉପରେ ଧ୍ୟାନ ଦେଉଛି ବୋଲି ସେ କହିଛନ୍ତି।
ତେବେ ଭାରତୀୟ ଅଲିମ୍ପିକ ଆସୋସିଏଶନ(ଆଇଓଏ) ଦେଶର ଶ୍ରେଷ୍ଠ ଖେଳାଳିମାନଙ୍କୁ ଏହି ଗେମ୍ସରେ ଅଂଶଗ୍ରହଣ କରିବା ବାଧ୍ୟତାମୂଳକ କରିଛି। ଏହାସତ୍ତ୍ୱେ ଏଥିରେ ନୀରଜ ଭାଗ ନେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।