Categories: ଖେଳ

ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ବୁଦାପେଷ୍ଟ,୨୮ା୮: ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ୮ ଦିନ ଧରି ଚାଲିଥିବା ଏହି ଇଭେଣ୍ଟରେ ଏକାଧିକ ରେକର୍ଡ ଭାଙ୍ଗିଥିବା ବେଳେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ପୂର୍ବରୁ ଅଞ୍ଜୁ ବବି ଜର୍ଜ (ଲଙ୍ଗ୍‌ଜମ୍ପ) ବ୍ରୋଞ୍ଜ ଏବଂ ନୀରଜ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ତିମ ଦିବସରେ ଜାଭେଲିନ୍‌ ଥ୍ରୋରେ ନୀରଜ ଚୋପ୍ରାଙ୍କ ବ୍ୟତୀତ ଡି.ପି. ମନୁ ଓ ଓଡ଼ିଶାର କିଶୋର ଜେନାଙ୍କୁ ଆକ୍ସନରେ ଦେଖିବାକୁ ମିଳିଥିଲା। ୩୦୦୦ ମିଟର ମହିଳା ଷ୍ଟିପଲଚେଜ୍‌ରେ ପାରୁଲ ଚୌଧାରୀ ଓ ୪ଗୁଣା ୪୦୦ ମିଟର ପୁରୁଷ ରିଲେ ଦଳକୁ ଆକ୍ସନରେ ଦେଖିବାକୁ ମିଳିଥିଲା।

ନୀରଜ ପୂର୍ବରୁ ୟୁଜିନରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଏହା ଭାରତର ତୃତୀୟ ପଦକ ହୋଇଥିବା ବେଳେ ବ୍ୟକ୍ତିଗତ ଭାବରେ ନୀରଜଙ୍କ ଏହା ଦ୍ୱିତୀୟ ପଦକ। ଜାଭେଲିନ୍‌ ଥ୍ରୋରେ ଭାରତର ପଦକ ଫେଭରିଟ୍‌ ରହିଥିବା ଅଲିମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା ୮୮.୧୭ ମିଟରର ଥ୍ରୋ ସହିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ନିଜର ଦ୍ୱିତୀୟ ପଦକ ହାସଲ କରିଥିଲେ। ପାକିସ୍ତାନର ଅର୍ଶଦ ନଦୀମ୍‌ ୮୭.୮୨ ମିଟରର ଥ୍ରୋ ସହିତ ରୌପ୍ୟ ପଦକ ହାସଲ କରିଥିବା ବେଳେ ଚେକ୍‌ ରିପବ୍ଲିକ୍‌ର ଜାକୁବ୍‌ ଭାଡଲେଚ୍‌ ୮୬.୬୭ ମିଟରର ଥ୍ରୋ ସହିତ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଏକ ଫାଉଲ୍‌ ସହିତ ଆରମ୍ଭ କରିଥିଲେ। ତେବେ ଦ୍ୱିତୀୟ ଥ୍ରୋରେ ସେ ୮୮.୧୭ ମିଟର ଥ୍ରୋ କରିବା ସହିତ ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଓଡ଼ିଶାର କିଶୋର ଜେନା ୮୪.୨୪ ମିଟର ଥ୍ରୋ ସହ ୫ମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ପାରୁଲ ଚୌଧାରୀ ୩,୦୦୦ ମିଟର ମହିଳା ଷ୍ଟିପଲ ଚେଜ୍‌ରେ ୯:୧୫.୩୧ ଟାଇମିଂ ସହ ୧୧ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ତେବେ ପାରୁଲ ପ୍ୟାରିସ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

Share