Categories: ଖେଳ

ନୀରଜଙ୍କ ବିଶ୍ୱବିଦ୍ୟାଳୟ ରେକର୍ଡ ଭାଙ୍ଗିଲେ ବିକ୍ରାନ୍ତ

ଭୁବନେଶ୍ୱର, ୨୨।୧୨ (କ୍ରୀଡ଼ା ପ୍ରତିନିଧି): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ଜୋନ୍‌ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଆୟୋଜକ ଦଳର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ବୁଧବାର ଦ୍ୱିତୀୟ ଦିବସରେ କିଟ୍‌ ପ୍ରତିଯୋଗୀଙ୍କୁ ୩ ସ୍ବର୍ଣ୍ଣ ଏବଂ ୨ଟି ରୌପ୍ୟ ପଦକ ମିଳିଛି। ବିକ୍ରାନ୍ତ ମଲିକ ୮୧.୮୨ ମିଟର ଜାଭେଲିନ ଥ୍ରୋ କରି ମିଟ୍‌ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ଏଥିସହ ସେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ବିଶ୍ୱବିଦ୍ୟାଳୟ ରେକର୍ଡକୁ ଭାଙ୍ଗିଛନ୍ତି। ନୀରଜ ୨୦୧୫ରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରି ୮୧.୦୪ ମିଟର ଜାଭେଲିନ ଥ୍ରୋ କରି ରେକର୍ଡର ଅଧିକାରୀ ଥିଲେ। ମହିଳା ୨୦ କିଲୋମିଟର ଚାଲିରେ ପ୍ରିୟଙ୍କା ଏବଂ ୧୦୦ ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ ସ୍ବର୍ଣ୍ଣ ପଦକ ପାଇଛନ୍ତି। ଅଲିମ୍ପିଆନ ଦୂତୀ ଚାନ୍ଦ ମହିଳା ୧୦୦ ମିଟର ରେସ୍‌ ଏବଂ ଲାଲୁ ପ୍ରସାଦ ଭୋଇ ପୁରୁଷ ୧୦୦ ମିଟର ରେସ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି। ପଦକ ବିଜେତାଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। କିସ୍‌ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସେଲର ଦୀପକ କୁମାର ବେହେରା ଓ ଦୂତୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ ୨୫୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରୁ ୨୫୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌ (ଏଆଇୟୁ) ଅନୁମୋଦନକ୍ରମେ ଏହି ପ୍ରତିଯୋଗିତା କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଛି।

Share