Categories: ଜାତୀୟ

ଏନ୍‌ଇଇଟି ଅନିୟମିତତା ମାନିନିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯ା୬: ଚଳିତ ବର୍ଷର ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷା ପରିଚାଳନାର ଯେକୌଣସି ଭାଗରେ ଯଦି ୦.୦୦୧ ପ୍ରତିଶତ ଅବହେଳା ହୋଇଥାଏ, ତେବେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ହେଲେ ଠିକ୍‌ ସମୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ। ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାର ଏବଂ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ଏହା କହିଛନ୍ତି। ପରୀକ୍ଷା ପରିଚାଳନାରେ ହୋଇଥିବା ଭୁଲ୍‌ ମାନିଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଷ୍ଟିସ୍‌ ବିକ୍ରମ ନାଥ ଏବଂ ଏସ୍‌.ଭି.ଏନ୍‌. ଭଟ୍ଟିଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଏନ୍‌ଇଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହେବା ସହ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା। ଉକ୍ତ ପରୀକ୍ଷାକୁ ବାତିଲ କରାଯାଇ ପୁନର୍ବାର ପରୀକ୍ଷା କରାଇବା ପାଇଁ ଦାଏର ପିଟିଶନ୍‌ର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ପରୀକ୍ଷା ପରିଚାଳନାକାରୀ ସଂସ୍ଥା ଏନ୍‌ଟିଏ ଅନିୟମିତତା ନେଇ ଆତ୍ମସମୀକ୍ଷା କରିବା ଆବଶ୍ୟକ। ଯଦି ଜଣେ ଅଯୋଗ୍ୟ ପ୍ରାର୍ଥୀ ଦୁର୍ନୀତିରେ ସମ୍ପୃକ୍ତ ରହି ଡାକ୍ତର ହୁଏ, ତେବେ ସେଭଳି ବ୍ୟକ୍ତି ସମାଜ ପାଇଁ ବଡ଼ ବିପଦ ସୃଷ୍ଟି କରିବେ। ପିଲାମାନେ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିଥାନ୍ତି। ସେମାନଙ୍କ ଉଦ୍ୟମ ପ୍ରତି ଆମକୁ ସଚେତନ ହେବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି।
ସୂଚନାଯୋଗ୍ୟ, ଗତ ମେ’ ୫ରେ ୨୪ ଲକ୍ଷ ଛାତ୍ରୀଛାତ୍ର ଦେଶର ୪,୭୫୦ ସେଣ୍ଟରରେ ଏନ୍‌ଇଇଟି-ୟୁଜି ପରୀକ୍ଷା ଦେଇଥିଲେ। ୬୭ ଜଣ ପରୀକ୍ଷାର୍ଥୀଙ୍କୁ ସର୍ବୋଚ୍ଚ ନମ୍ବର ଦିଆଯାଇ ର଼୍ୟାଙ୍କ ଓ୍ବାନ୍‌ରେ ସ୍ଥାନିତ କରାଯାଇଥିଲା। ହରିୟାଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣ ପିଲା ସର୍ବୋଚ୍ଚ ନମ୍ବର ରଖିଥିଲେ। କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରୀଛାତ୍ରଙ୍କୁ ଅଧିକ ଗ୍ରେସ୍‌ମାର୍କ ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ର ଦୁର୍ନୀତି ଓ କୁପରିଚାଳନା ବିରୋଧରେ ଓ ସାନି ପରୀକ୍ଷା ଦାବିରେ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରୀକ୍ଷା ଅନିୟମିତତାକୁ ବିରୋଧକରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜାରି ରହିଛି।

Share