Categories: ଜାତୀୟ

NEET ପେପର ଲିକ୍‌ର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ହାତରେ ଲାଗିଲା ଏହି ବଡ଼ ପ୍ରମାଣ

ନୂଆଦିଲ୍ଲୀ,୨୭ା୬: ନିଟ୍‌ ପେପର ଲିକ୍‌କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମହାରାଷ୍ଟ୍ରରୁ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ପେପର ଲିକ୍‌ ମାମଲାର ତଦନ୍ତ କରୁଥିବା ଲାଟୁର ପୋଲିସ କେବଳ ନିଟ୍‌ ନୁହେଁ ବରଂ ଗ୍ରେଡ୍‌ ସି ଏବଂ ଗ୍ରେଡ୍‌ ବି ନିଯୁକ୍ତି ପରୀକ୍ଷାରେ ବି ହାଜର ପ୍ରାର୍ଥୀଙ୍କ ପାଇଁ ହଲ୍‌ ଟିକେଟ ଜବତ କରିଛି। ଏହା ସୂଚାଇ ଦେଉଛି ଯେ, ପେପର ଲିକ୍‌ରେ ଅଭିଯୁକ୍ତ କେବଳ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଂପୃକ୍ତ ନୁହନ୍ତି  ବରଂ ସରକାରୀ ନିଯୁକ୍ତି ପରୀକ୍ଷାରେ ମଧ୍ୟ ଜଡ଼ିତ ଅଛନ୍ତି।

ପୋଲିସ ସନ୍ଦେହ କରୁଛି ଯେ,ନିଟ୍‌ ପେପର ଲିକ୍‌ର ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧର ଗୁଣ୍ଡେ ମେଡିକାଲ ପ୍ରବେଶିକା ପରୀକ୍ଷା ତଥା ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ପରୀକ୍ଷାରେ କଳଙ୍କ ଲଗାଇଛନ୍ତି। ଗଙ୍ଗାଧର ହିଁ ମାଷ୍ଟରମାଇଣ୍ଡ୍‌। ଲାଟୁର ପୋଲିସର ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ନିଟ୍‌ ପେପର ଲିକ୍‌ ମାମଲାରେ ପଳାତକ ଅଭିଯୁକ୍ତ ଗଙ୍ଗାଧର ଗୁଣ୍ଡେ ଶିକ୍ଷକ ଏବଂ ଏଜେଣ୍ଟଙ୍କ ମଧ୍ୟରେ ସାଧାରଣ ଲିଙ୍କ। ଏହି ସମୟରେ ଗଙ୍ଗାଧରଙ୍କ ସ୍ତ୍ରୀ କହିଛନ୍ତି, ଉତ୍ତରପ୍ରଦେଶ ପୋଲିସ ଗଙ୍ଗାଧରଙ୍କୁ ଗିରଫ କରିଛି। ସେ କହିଛନ୍ତି, ଜୁନ୍‌ ୨୫ରୁ ସେ ଗଙ୍ଗାଧରଙ୍କ ସହ କଥାବାର୍ତ୍ତା କରିପାରିନାହାନ୍ତି।

ମହାରାଷ୍ଟ୍ରର ଲାଟୁର ପୋଲିସର ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ବିହାର ରାଜ୍ୟର କିଛି ଲୋକଙ୍କ ସହ ଗଙ୍ଗାଧର ନିରନ୍ତର ଯୋଗାଯୋଗରେ ଥିଲେ। ପୋଲିସ କହିଛି, ବିହାରର ଯେଉଁମାନଙ୍କ ସହ ଗଙ୍ଗାଧର ଯୋଗାଯୋଗ କରୁଥିଲେ ସେମାନେ ହେଉଛନ୍ତି ନିଟ୍‌ ଛାତ୍ର କିମ୍ବା ଦଲାଲ ଯେଉଁମାନଙ୍କର ପେପର ଲିକ୍‌ ସହିତ ସଂଯୋଗ ରହିଛି। ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜଣେ ଅଧିକାରୀ କହିଛନ୍ତି, ତଦନ୍ତ ସମୟରେ ପୋଲିସ କିଛି ହ୍ବାଟ୍ସଆପ୍‌ ଚାଟ ଏବଂ କଣ୍ଟାକ୍ଟ ନମ୍ବର ପାଇଥିଲା, ଯାହା ସ୍ପଷ୍ଟ କରିଛି ଯେ, ଗଙ୍ଗାଧର ବିହାରର କିଛି ଲୋକଙ୍କ ସହ ଯୋଗାଯୋଗରେ ଅଛନ୍ତି।

ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ପୋଲିସ ବିହାର ପୋଲିସର ସହାୟତା ନେଇପାରେ। ତେବେ ବିହାର ପୋଲିସ ମାମଲାକୁ ଅଧିକ ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରାଯାଇଛି। ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଗଙ୍ଗାଧର ମହାରାଷ୍ଟ୍ରର ସାଙ୍ଗଲିର ବାସିନ୍ଦା। ସେ ବର୍ତ୍ତମାନ ଗୁରୁଗାଓଁରେ ରୁହନ୍ତି ଏବଂ ସେଠାରେ ଏକ ଅଟୋମୋବାଇଲ କମ୍ପାନୀରେ କାମ କରନ୍ତି।

ପ୍ରାଥମିକ ଅନୁସନ୍ଧାନ ବେଳେ ପୋଲିସ ଅଭିଯୁକ୍ତଙ୍କଠାରୁ ୮ ଜଣ ନିଟ୍‌ ଛାତ୍ରଙ୍କ ହଲ୍‌ ଟିକେଟ ଜବତ କରିଥିଲା, କିନ୍ତୁ ଗିରଫ ପରେ ଆଉ ୪ଟି ହଲ୍‌ ଟିକେଟ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କ ହ୍ବାଟ୍ସଆପ ଚାଟରେ ପୋଲିସ ବର୍ତ୍ତମାନ ମୋଟ୍‌ ୧୨ଟି ହଲ୍‌ ଟିକେଟ ଜବତ କରିଛି। ଜଣେ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, ଗ୍ରେଡ୍‌ ସି ଏବଂ ଗ୍ରେଡ୍‌ ବି ପରୀକ୍ଷା ପାଇଁ ହଲ୍‌ ଟିକେଟ ମଧ୍ୟ ଅଭିଯୁକ୍ତଙ୍କ ନିକଟରୁ ମିଳିଛି, ଯାଞ୍ଚ ପ୍ରକ୍ରିୟା ଚାଲିଛି।

Share