ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏନ୍ଇଇଟି (ନ୍ୟାଶନାଲ ଏଲିଜିବଲ୍ କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ପିଜି ମେଡିକାଲ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଆସନ୍ତା ରବିବାର ହେବାର ଥିଲା। ସଂକ୍ରମଣ ବଢ଼ୁଥିବାରୁ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ସରକାର ନିଷ୍ପତ୍ତି ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଗୁରୁବାର କହିଛନ୍ତି। ମେଡିକାଲ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷାର ପରବର୍ତ୍ତୀ ତାରିଖ ସମ୍ପର୍କରେ ପରେ ନିଷ୍ପତ୍ତି ନିଆଯିବ ବୋଲି ହର୍ଷ ବର୍ଦ୍ଧନ ଟୁଇଟ୍ କରିଛନ୍ତି। ଡାକ୍ତରୀ ଶିକ୍ଷା ପାଇଁ ଆଶାୟୀ ପ୍ରାୟ ୧.୭ ଲକ୍ଷ ଛାତ୍ରୀଛାତ୍ର ଏନ୍ଇଇଟି-ପିଜି ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିଲେ।