NEET-PG ପ୍ରବେଶିକା ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୨।୬: ଦେଶରେ ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷାର ସ୍ୱଚ୍ଛତା ଉପରେ ଉଠିଥିବା ପ୍ରଶ୍ନକୁ ଦୃଷ୍ଟିରେ ରଖି NEET-PG ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ରବିବାର ଅର୍ଥାତ ୨୩ ତାରିଖରେ ଅନୁଷ୍ଠିତ ହେବାର ଥିଲା। ଖୁବଶୀଘ୍ର ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି।

ନିଟ୍-ୟୁଜି ଏବଂ ୟୁଜିସି-ଏନଇଟି’ରେ ହୋଇଥିବା ଅନିୟମିତତାକୁ ନେଇ ଦେଶରେ ବଡ ବିବାଦ ଜାରି ରହିଛି। ଏହି କ୍ରମରେ ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ NEET-PG ପ୍ରକ୍ରିୟାର ସ୍ୱଚ୍ଛତାକୁ ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହାପୂର୍ବରୁ ଶନିବାର NEET ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ର ସରକାର ଜାତୀୟ ପରୀକ୍ଷା ଆୟୋଜନ ସଂସ୍ଥା (ଏନଟିଏ) ମହାନିର୍ଦ୍ଦେଶକ ସୁବୋଧ କୁମାରଙ୍କୁ ନିଲମ୍ବିତ କରିଥିଲେ। ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରଦିପ ସିଂ ଖରୋଲାଙ୍କୁ ଏନଟିଏ’ର ନୂତନ ମହାନିର୍ଦ୍ଦେଶକ ନିଯୁକ୍ତ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ।

ପ୍ରଦୀପ ବର୍ତମାନ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ଜଣେ ନିୟମିତ ପଦାଧିକାରୀ କିମ୍ବା ପରବର୍ତ୍ତୀ ନିର୍ଦ୍ଧେଶ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ।

ଏହା ସହିତ ଜାତୀୟ ପରୀକ୍ଷା ଆୟୋଜନ ସଂସ୍ଥା (ଏନଟିଏ) ଜରିଆରେ ପାରଦର୍ଶୀ, ସୁଗମ ଓ ସ୍ୱଚ୍ଛ ଭାବେ ପରୀକ୍ଷା ଆୟୋଜନ ସୁନିଶ୍ଚିତ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶେଷଜ୍ଞମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

ଏହି କମିଟି ଏନ୍‌‌.ଟି.ଏ.ର ମାନକ ପରିଚାଳନା ପଦ୍ଧତିର ସମ୍ପୂର୍ଣ୍ଣ ସମୀକ୍ଷା କରିବ। ଏହା ସହ ଅନୁଧ୍ୟାନ ବ୍ୟବସ୍ଥା ଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉପରେ ପରାମର୍ଶ ଦେବ। ବିଭିନ୍ନ ପରୀକ୍ଷା ପାଇଁ ପେପର ସେଟିଂ ଏବଂ ଅନ୍ୟାନ୍ୟ ପରୀକ୍ଷା ସମ୍ବନ୍ଧୀୟ ବର୍ତ୍ତମାନର ସୁରକ୍ଷା ପ୍ରୋଟୋକଲ ଯାଞ୍ଚ କରିବା ସହ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ପାଇଁ କମିଟି ସୁପାରିସ କରିବ ବୋଲି ଜଣାପଡ଼ିଛି।

Share