Categories: ଜାତୀୟ

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ:ସାନି ପରୀକ୍ଷା ପାଇଁ କେନ୍ଦ୍ର, ଏନ୍‌ଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ା୬:ପ୍ରଶ୍ନପତ୍ର ଲିକ୍‌ ଓ ଅସାଧୁ ଉପାୟ ଅବଲମ୍ବନ ଅଭିଯୋଗ ଆଧାରରେ ଏନ୍‌ଇଇଟି-ୟୁଜି ୨୦୨୪କୁ ବାତିଲକରି ସାନି ପରୀକ୍ଷା କରାଇବା ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାର ଏବଂ ପରୀକ୍ଷା ପରିଚାଳକ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ଜବାବ ମାଗିଛନ୍ତି। ପରୀକ୍ଷାର ପବିତ୍ରତା ପ୍ରଭାବିତ ହୋଇଥିବାରୁ ଆମେ ଏହାର ଜବାବ ଚାହୁଁ ବୋଲି ଜଷ୍ଟିସ୍‌ ବିକ୍ରମ ନାଥ ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି। ତେବେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ କାଉନ୍‌ସେଲିଂ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଲାଗି ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। କାଉନସେଲିଂ ଆରମ୍ଭ ହେବାକୁ ଦିଆଯାଉ। ଆମେ ଏହାକୁ ଅଟକାଇବା ନାହିଁ ବୋଲି ଜଷ୍ଟିସ୍‌ ନାଥ କହିଥିଲେ। ଅଦାଲତ ଖୋଲିବା ପରେ ପିଟିଶନର ପରବର୍ତ୍ତୀ ଶୁଣାଣି ତୁରନ୍ତ ଧାର୍ଯ୍ୟ ହେବ। ତେବେ ଜବାବ ଦାଖଲ ପାଇଁ ଅଧିକ ସମୟ ଆବଶ୍ୟକ ପଡ଼ିଲେ କାଉନସେଲିଂକୁ ରୋକାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଏହା ବ୍ୟତୀତ ବିହାରରେ ପରୀକ୍ଷା ପରିଚାଳନାରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି। ଏଥିସହିତ ପୂର୍ବରୁ ବିଚାରାଧୀନ ଥିବା ଏନ୍‌ଇଇଟି ସମ୍ପର୍କିତ ଏକ ପିଟିଶନର ଶୁଣାଣି ପାଇଁ ଶିବାଙ୍ଗୀ ମିଶ୍ରା ଓ ଅନ୍ୟ ୯ ଜଣଙ୍କ ଆବେଦନକୁ ଖଣ୍ଡପୀଠ ଗ୍ରହଣ କରି ଏନ୍‌ଟିଏକୁ ଜବାବ ମାଗିଛନ୍ତି। ଗ୍ରୀଷ୍ମାବକାଶ ପରେ ଜୁଲାଇ ୮ରୁ ସୁପ୍ରିମକୋର୍ଟ ନିୟମିତ ଶୁଣାଣି ଆରମ୍ଭ କରିବେ।
ସୂଚନାଯୋଗ୍ୟ, ଗତ ମେ’ ୫ରେ ଚଳିତ ବର୍ଷର ଏନ୍‌ଇଇଟି-ୟୁଜି ପରୀକ୍ଷା ହୋଇଥିବା ବେଳେ ଜୁନ୍‌ ୪ରେ ଲୋକ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ତରବରିଆ ଭାବେ ପରୀକ୍ଷା ରେଜଲ୍ଟ ଘୋଷଣା କରାଯାଇଥିଲା। ଜୁନ୍‌ ୧୪ରେ ରେଜଲ୍ଟ ଆସିବା ଆଶା କରାଯାଉଥିବାବେଳେ ୧୦ଦିନ ଆଗରୁ ପ୍ରକାଶ ପାଇବା ନେଇ ସନ୍ଦେହ ପ୍ରକାଶ ପାଇଥିଲା। ଏହା ବ୍ୟତୀତ ପରୀକ୍ଷାରେ ୬୭ ଜଣ ଛାତ୍ରୀଛାତ୍ର ସମ୍ପୂର୍ଣ୍ଣ ୧୦୦ ପ୍ରତିଶତ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ପ୍ରଥମ ର଼୍ୟାଙ୍କ ହାସଲ କରିବାକୁ ନେଇ ପ୍ରଶ୍ନ ଉଠିଥିଲା। ଏପରିକି ହରିୟାଣାର ଗୋଟିଏ ପରୀକ୍ଷା କେନ୍ଦ୍ରରୁ ୬ ଜଣ ୭୨୦ରୁ ୭୨୦ ନମ୍ବର ରଖି ର଼୍ୟାଙ୍କ୍‌ ଓ୍ବାନ୍‌ରେ ସ୍ଥାନ ପାଇଥିଲେ। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ପରୀକ୍ଷାରେ ଅନିୟମିତତା ଓ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା ଅଭିଯୋଗ ହୋଇଥିଲା।
ମେଡିକାଲ କଲେଜଗୁଡ଼ିକରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ୨୦୨୨ରେ ହୋଇଥିବା ଏନ୍‌ଇଇଟି-ପିଜି ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ପ୍ରଶ୍ନପତ୍ର ଓ ଉତ୍ତର ଖାତାଗୁଡ଼ିକ ପ୍ରକାଶ କରିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ସମୟ ଅତିବାହିତ ହୋଇଥିବାରୁ ଉକ୍ତ ଆବେଦନଗୁଡ଼ିକର କିଛି ମୂଲ୍ୟ ନାହିଁ ବୋଲି ଜଷ୍ଟିସ ନାଥ ଏବଂ ଅମାନୁଲ୍ଲାଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି।

Share