Categories: ଜାତୀୟ

ଏନ୍‌ଇଇଟି ରେଜଲ୍ଟ ବିଭ୍ରାଟ: ସିବିଆଇ ତଦନ୍ତ, ପୁନଃ ପରୀକ୍ଷା ଦାବି

ନୂଆଦିଲ୍ଲୀ,୯ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ଫଳରେ ଅନିୟମିତତାକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଥିବାବେଳେ ଏହାର ସିବିଆଇ ତଦନ୍ତ ଏବଂ ପୁନଃ ପରୀକ୍ଷା ପାଇଁ ଅନେକ ଛାତ୍ରୀଛାତ୍ର ଦାବି କରିଛନ୍ତି। ପରୀକ୍ଷାରେ ୬୭ ଜଣ ଛାତ୍ରୀଛାତ୍ର ୭୨୦ରୁ ୭୨୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ର଼୍ୟାଙ୍କ୍‌ ଓ୍ବାନ୍‌ରେ ଆସିବା ପ୍ରଥମ ଘଟଣା। କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରୀଛାତ୍ରୀଙ୍କୁ କ୍ଷତିପୂରଣ ମାର୍କ ଦିଆଯିବା ମଧ୍ୟ ଅନ୍ୟତମ ପ୍ରଥମ ଘଟଣା। ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ବିବାଦ ଘେରକୁ ଆସିଛି। ପୂର୍ବରୁ ଏନ୍‌ଇଇଟି-ୟୁଜି ପରୀକ୍ଷାରେ ଜଣେ କିମ୍ବା ୨ ଜଣ ଟପ୍ପର ହେଉଥିଲେ। ଏଥର ଏକସଙ୍ଗେ ୬୭ ପିଲା ୭୨୦ରୁ ୭୨୦ ନମ୍ବର ରଖି ୯୯.୯୯୭୧୨୯ ପର୍ସେଣ୍ଟାଇଲ୍‌ ସହ ଟପ୍ପର ହେଲେ କିପରି ବୋଲି ପ୍ରଶ୍ନ ଉଠିଛି। ତେଣୁ ମେ’ ୫ରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ ହେଉଥିବାବେଳେ ଏନ୍‌ଟିଏ ଏହାକୁ ଖଣ୍ଡନ କରିଛି। ରେଜଲ୍ଟ ଅନିୟମିତତାକୁ ନେଇ ନ୍ୟାଶନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ)ର ସଦସ୍ୟମାନେ ଶନିବାର ଭୋପାଳରେ ଏନ୍‌ଟିଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରେଜଲ୍ଟ ବିଭ୍ରାଟକୁ ନେଇ ସୁପ୍ରିମକୋର୍ଟ ସମେତ ବିଭିନ୍ନ ଅଦାଲତରେ ପିଟିଶନ ଦାଏର ହୋଇଛି। ଲୋକ ସଭା ନିର୍ବାଚନ ଫଳ ପ୍ରକାଶ ଦିନ ଏନ୍‌ଇଇଟି ରେଜଲ୍ଟ ବାହାରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ତରବରରେ ପରୀକ୍ଷା ଫଳ ଘୋଷଣାକୁ ମଧ୍ୟ ଏନ୍‌ଟିଏ ଖଣ୍ଡନ କରିଛି। ତେବେ ଏସବୁର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଅନେକ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ଦାବି କରିଛନ୍ତି।

Share