Categories: ଜାତୀୟ

ପୁରୁଣା ଢାଞ୍ଚାରେ ହେବ ଏନ୍‌ଇଇଟି-ଏସ୍‌ଏସ୍‌ ପରୀକ୍ଷା

ନୂଆଦିଲ୍ଲୀ, ୭।୧୦: ସୁପ୍ରିମକୋର୍ଟଙ୍କ ଚାପ ଫଳରେ କେନ୍ଦ୍ର ସରକାର ନଭେମ୍ବରରେ ହେବାକୁ ଥିବା ଏନ୍‌ଇଇଟି ସୁପର ସ୍ପେଶିଆଲିଟି ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିଛନ୍ତି। ପୁରୁଣା ପ୍ରଶ୍ନ ଢାଞ୍ଚାରେ ଏଥର ପରୀକ୍ଷା କରାଯିବ ବୋଲି ବୁଧବାର କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଥିବାରୁ ଯୁବ ଡାକ୍ତରମାନେ ଆଶ୍ୱସ୍ତ ହୋଇଛନ୍ତି। ଛାତ୍ରୀଛାତ୍ରଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏନ୍‌ଇଇଟି-ଏସ୍‌ଏସ୍‌ ପରୀକ୍ଷା ସିଲାବସ୍‌ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଥିବା ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟି ଜଣାଇଥିଲେ। ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ ପାଇଁ ଚଳିତ ଶିକ୍ଷାବର୍ଷର ପରୀକ୍ଷା ଦୁଇମାସ ଘୁଞ୍ଚତ୍ପାରେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ପ୍ରଶ୍ନ ଢାଞ୍ଚା ଆସନ୍ତାବର୍ଷରୁ ଲାଗୁ ହେବ। ନଭେମ୍ବର ୧୩ ଓ ୧୪ରେ ଏନ୍‌ଇଇଟି-ଏସ୍‌ଏସ୍‌ ପରୀକ୍ଷା ହେବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ପ୍ରଶ୍ନ ଢାଞ୍ଚାରେ ପରିବର୍ତ୍ତନ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇବାରୁ ୪୨ ଜଣ ସ୍ନାତକୋତ୍ତର ଡାକ୍ତର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Share