ଆସନ୍ତାକାଲି ଏନ୍‌ଇଇଟି: ପରୀକ୍ଷା ଦେବେ ୩୭,୪୫୯ ଛାତ୍ରୀଛାତ୍ର

ଭୁବନେଶ୍ୱର,୧୨।୯(ବ୍ୟୁରୋ) – ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି(ୟୁଜି) ଆସନ୍ତାକାଲି ରାଜ୍ୟର ୭ଟି ସହରରେ ଅନୁଷ୍ଠିତ ହେବ। ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଅନୁଗୋଳର ୮୩ଟି ସେଣ୍ଟରରେ ମୋଟ ୩୭,୪୫୯ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏଥିପାଇଁ ଛାତ୍ରୀଛାତ୍ର ଅପରାହ୍ନ ୧୨ଟା ୩୦ରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ।
ଭୁବନେଶ୍ୱରରେ ସର୍ବାଧିକ ୩୧ କେନ୍ଦ୍ରରେ ୧୫,୬୮୮ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ପରୀକ୍ଷା ସୁପରିଚାଳନା ପାଇଁ ଶନିବାର ଭୁବନେଶ୍ୱର ସର୍କିଟ ହାଉସରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ଜିଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଡିଏମ୍‌, ଏନ୍‌ଇଇଟି ରାଜ୍ୟ ସଂଯୋଜକଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରୀକ୍ଷାର୍ଥୀଙ୍କୁ ଏନ୍‌ଟିଏ ପକ୍ଷରୁ ମାସ୍କ ଓ ସାନିଟାଇଜର ଦିଆଯିବ। ପ୍ରତି ପରୀକ୍ଷା ରୁମ୍‌ରେ ୧୨ଜଣ ପରୀକ୍ଷାର୍ଥୀ ବସିବେ। ତେବେ କରୋନା ଆକ୍ରାନ୍ତ ମଧ୍ୟ ପରୀକ୍ଷା ଦେଇପାରିବେ ବୋଲି ସୂଚନା ଦିଆଯାଇଛି।

Share