ଏନ୍‌ଇଇଟି-ୟୁଜି ବିବାଦ: କେନ୍ଦ୍ର-ଏନ୍‌ଟିଏକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୬: ନିଟ୍‌-ୟୁଜି ବିବାଦ ମଧ୍ୟରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ନୋଟିସ ଜାରି କରିଛନ୍ତି। ଏନ୍‌ଇଇଟି ପ୍ରଶ୍ନ ପେପର ଲିକ ଏବଂ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ପାଇଁ ଏକ ପିଟିସନ ଉପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ବ୍ୟତୀତ ବିଭିନ୍ନ ହାଇକୋର୍ଟରୁ ସର୍ବୋଚ୍ଚ ନ୍ୟାୟାଳୟକୁ ଆବେଦନପତ୍ର ଦାଖଲ କରିବାକୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିର ଆବେଦନ ଉପରେ କୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଜୁଲାଇ ୮ରେ ଏହି ପିଟିଶନର ଶୁଣାଣି ହେବ।
ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ଏନଟିଏ ପାଇଁ କାଉନସେଲର ଯୁକ୍ତି ଦର୍ଶାଯାଇଛି, ପ୍ରଶ୍ନପତ୍ର ଲିକ ଏବଂ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗ ଆଧାରରେ ଏନ୍‌ଇଇଟି-ୟୁଜି ରଦ୍ଦ କରିବାକୁ ଦାବି କରୁଥିବା ଅନେକ ଆବେଦନ ଅନେକ ହାଇକୋର୍ଟରେ ବିଚାରାଧୀନ ଅଛି। ବେଞ୍ଚ କହିଛନ୍ତି ଯେ, ଆମେ ନୋଟିସ ଜାରି କରୁଛୁ। ଜୁଲାଇ ୮ରେ ଏଗୁଡ଼ିକର ଶୁଣାଣି ହେବ।

Share