Categories: ଜାତୀୟ

ରବିବାର ଏନଇଇଟି ୟୁଜି ପ୍ରବେଶିକା ପରୀକ୍ଷା, ଦେଶ-ବିଦେଶରେ ୫୦୦ରୁ ଅଧିକ କେନ୍ଦ୍ର…

ନୂଆଦିଲ୍ଲୀ, ୧୬।୭ : ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପରିଚାଳିତ ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ସ୍ନାତକୋତ୍ତର ପରୀକ୍ଷା ଏନଇଇଟି ୟୁଜି ୧୭ ଜୁଲାଇ, ରବିବାର ଅପରାହ୍ନ ୨ ଟାରୁ ୫ଟା ୨୦ ମଧ୍ୟରେ ଅନୁଷ୍ଠିତ ହେବ।

ପରୀକ୍ଷା ସମ୍ପୂର୍ଣ୍ଣ ରୂପେ ପେନ୍‌ ଏବଂ ପେପର ମୋଡରେ ହେବ । ଏହି ପରୀକ୍ଷା ଏମବିବିଏସ୍‌,ବିଡିଏସ୍‌, ବିଏଚଏମଏସ, ବିଓ୍ବାଇଏମ୍‌ଏସ୍‌, ବିଭିଏସସି ଏବଂ ମନୋନୀତ ବିଏସ୍‌ସି ନର୍ସିଂ କଲେଜ ପାଠ୍ୟକ୍ରମର ପ୍ରାୟ ଏକ ଲକ୍ଷ ୪୦ ହଜାର ସିଟ ପାଇଁ ହେବ। ଏଥିପାଇଁ ପ୍ରାୟ ୧୮ ଲକ୍ଷ ପ୍ରାର୍ଥୀ ଆବେଦନ କରିଛନ୍ତି।

ଏମ୍ସ୍‌ ଏବଂ ଜିପମର ପରି ଖ୍ୟାତିସମ୍ପନ୍ନ ମେଡିକାଲ କଲେଜଗୁଡ଼ିକରେ ଆଡମିଶନ ମଧ୍ୟ ଏହି ପରୀକ୍ଷା ମାଧ୍ୟମରେ ହେବ। ଚଳିତ ବର୍ଷ ଏନଟିଏ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ପରୀକ୍ଷା ସମାପ୍ତ ହେବା ପରେ ଉଭୟ ଏନଇଇଟି ୟୁଜି ପରୀକ୍ଷା ମୁଖ୍ୟ ଓଏମଆର ଶିଟ ଏବଂ ଓଏମଆର ଶିଟର ଅଫିସ କପି ଇନଭିଜିଲେଟରଙ୍କ ନିକଟରେ ଦାଖଲ କରିବାକୁ ପଡିବ। ପରୀକ୍ଷା ସମାପ୍ତ ହେବା ପରେ ଆଡମିଟ କାର୍ଡ ଏବଂ ପୋଷ୍ଟକାର୍ଡ ସାଇଜ ଫଟୋ ମଧ୍ୟ ପରୀକ୍ଷକଙ୍କୁ ଦେବାକୁ ପଡିବ।

ପରୀକ୍ଷା କେନ୍ଦ୍ରକୁ କାଲକୁଲେଟର, ମୋବାଇଲ ଫୋନ, ଘଣ୍ଟା, ବ୍ଲୁଟୁଥ ଡିଭାଇସ ଭଳି ଇଲେକ୍ଟ୍ରୋନିକ ଉପକରଣ ନେବା ନିଷେଧ। ଆଡମିଟ କାର୍ଡ, ପୋଷ୍ଟକାର୍ଡ ସାଇଜ ଫଟୋଗ୍ରାଫ ଏବଂ ମୂଳ ଆଇଡି କାର୍ଡ ବ୍ୟତୀତ ଅନ୍ୟ କୌଣସି କାଗଜ କେନ୍ଦ୍ରକୁ ନିଆଯାଇ ପାରିବ ନାହିଁ ।

ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବାହ୍ନ ୧୧ ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ସମସ୍ତ ପ୍ରାର୍ଥୀଙ୍କୁ ଆଡମିଟ କାର୍ଡରେ ୟଭିନ୍ନ ଭିନ୍ନ ରିପୋର୍ଟିଂ ସମୟ ଦିଆଯାଇଛି। ଏହା ଅନୁଯାୟୀ ସେମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ଯାହା ଦ୍ୱାରା ସାମାଜିକ ଦୂରତା ବଜାୟ ରହିବା ସହଜ ହେବ ଏବଂ ପରୀକ୍ଷା କେନ୍ଦ୍ରରେ ଭିଡ଼ ରହିବ ନାହିଁ।

Share