ଶ୍ରୀମନ୍ଦିର ପାଇଁ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ପୁରୀ ଅଫିସ,୧୯।୪: ଶ୍ରୀମନ୍ଦିରର ବହୁ ସେବାୟତ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଉପରେ କଟକଣା ଲଗାଯାଇଛି। ଏଥିସହ ନୂଆ ଏସ୍‌ଓପିକୁ ସୋମବାରଠାରୁ ଲାଗୁ କରାଯାଇଛି। ଏଣିକି ରାଜ୍ୟ ତଥା ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇ ଡୋଜ୍‌ ଟିକା ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ କେବଳ ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଏହା ଲାଗୁ କରିବାକୁ ଏସ୍‌ଓପି ଜାରି ହୋଇଥିବାବେଳେ ଏବେ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତମାନେ ଏସବୁ ଦେଖାଇ ଭିତରକୁ ଯିବାବେଳେ ହାତ ସାନିଟାଇଜ କରିବେ। ସମସ୍ତ କୋଭିଡ ନିୟମ ମାନି ସ୍ବତନ୍ତ୍ର କିଓସ୍କ ଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରିବାକୁ କୁହାଯାଇଛି।
ସେହିଭଳି ପୁରୀରେ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିରର ଦର୍ଶନ ବନ୍ଦ କରାଯାଇ ବିଶୋଧନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରବିବାର ମଧ୍ୟ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ବନ୍ଦ ରଖାଯାଇ ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଥିଲା। ଭକ୍ତମାନେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ ନିକଟରୁ ପତିତପାବନଙ୍କୁ ଦର୍ଶନ କରି ଫେରିଥିଲେ। କେବଳ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନ କରିଥିଲେ। ଅଗ୍ନିଶମ ବାହିନୀ, ପୌର ସଂସ୍ଥା ଓ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଇଥିଲା।

Share