ବାହାରୁ ଆସିଲେ ଆବଶ୍ୟକ ନାହିଁ ନେଗେଟିଭ୍‌ ରିପୋର୍ଟ

ଭୁବନେଶ୍ୱର,୫।୮(ବ୍ୟୁରୋ): ଏଣିକି ବାହାର ରାଜ୍ୟରୁ ଓଡ଼ିଶାକୁ ଆସିଲେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ଆବଶ୍ୟକ ନାହିଁ। ଓଡ଼ିଶାକୁ ଆସୁଥିବା ଲୋକଙ୍କ ପାଇଁ ଲାଗୁ କରାଯାଇଥିବା ଏହି ପ୍ରତିବନ୍ଧକକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି। ବର୍ତ୍ତମାନ ଠାରୁ ଓଡ଼ିଶାକୁ ଆସୁଥିବା ଲୋକଙ୍କୁ କୋଭିଡ୍‌ ୧୯ ନେଗେଟିଭ୍‌ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ପଡ଼ିବ ନାହିଁ। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଓଡ଼ିଶାକୁ ଆସିବାକୁ ହେଲେ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ (ଆର୍‌ଏଟି) କିମ୍ବା ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଥିଲା। ଏ ନେଇ ମେ’ ୩ରେ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହି ନିର୍ଦ୍ଦେଶନାମାକୁ ବୁଧବାର ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଛନ୍ତି। ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଏହି ରିପୋର୍ଟ କିମ୍ବା ସାର୍ଟିଫିକେଟ୍‌ ବିନା ଆସନ୍ତି, ତେବେ ତାଙ୍କ ପାଇଁ ୭ଦିନ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ କିମ୍ବା ହୋମ୍‌ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ ଥିଲା।

Share